ସତ୍ୟବାଦୀରେ ପ୍ରତିଷ୍ଠା ହେବ ଓଡିଆ ବିଶ୍ୱବିଦ୍ୟାଳୟ

0
397
cs a p padhi
cs a p padhi

ଭୁବନେଶ୍ୱର : ପୁରୀ ଜିଲ୍ଲାର ସତ୍ୟବାଦୀ ଠାରେ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ରାଜ୍ୟ ଐତିହ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି । ଏତଦ୍ ବ୍ୟତୀତ ଆଉ ୩ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି ।
ଶୁକ୍ରବାର ରାଜ୍ୟ ସଚିବାଳୟ ଠାରେ ଐତିହ୍ୟ କ୍ୟାବିନେଟର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୪ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ଅନୁମୋଦିତ ହୋଇଥିଲା । ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଥିଲେ ଯେ କ୍ୟାବିନେଟ ନିଷ୍ପତି ଅନୁଯାୟୀ ପୁରୀ ଜିଲ୍ଲାର ସତ୍ୟବାଦୀ ଠାରେ ୨୫ ଏକର ପରିମିତ ଜାଗାରେ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଓଡିଆ ଐତିହ୍ୟ ଓ ସଂସ୍କୃତି ନୀତି ପ୍ରଣୟନ କରାଯିବ ।

ରାଜ୍ୟରେ ସାର୍ବଜନୀନ ପାଠଗାର ନିର୍ଦ୍ଦେଶାଳୟ ପ୍ରତିଷ୍ଠା ହେବ । ଏହା ସହିତ କଟକସ୍ଥିତ ଆନନ୍ଦଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରର ଉନ୍ନତିକରଣ ନେଇ ଟ୍ରଷ୍ଟ ଗଠନ ସହ କର୍ପସ ପାଣ୍ଠି କରାଯିବକୁ ଐତିହ୍ୟ କ୍ୟାବିନେଟରେ ନିଷ୍ପତି ହୋଇଛି । ଐତିହ୍ୟ କ୍ୟାବିନେଟରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି,ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗୀନୀ ଛୁରିଆ, ଅନୁସୂଚୀତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ବିଦ୍ୟାଳୟ  ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର, ଇଲୋକେଟ୍ରାନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଉପସ୍ଥିତ ଥିଲେ ।