ତିତ୍ଲୀ ପ୍ରଭାବିତଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ସରକାର

0
643
titli affected area
titli affected area

ଭୁବନେଶ୍ୱର, : ସାମୁଦ୍ରିକ ଝଡ ତିତ୍ଲୀ ଯୋଗୁ କ୍ଷତିଗସ୍ତ ଜିଲ୍ଲା ପାଇଁ ରାଜ୍ୟ ସରକାର ପ୍ୟାକେଜ ଘୋଷଣା କରିଛନ୍ତି । କୃଷି, ମତ୍ସ୍ୟ, ପଶୁସଂପଦ ସମେତ ଅନ୍ୟାନ୍ୟ ଜୀବିକା କ୍ଷେତ୍ର ପାଇଁ ଏହି ପ୍ୟାକେଜ ଘୋଷଣା କରାଯାଇଛି । ୩୩ ପ୍ରତିଶତ ଓ ତଦୁଦ୍ଧ୍ୱର୍ କ୍ଷତିଗସ୍ତ ଚାଷୀଙ୍କୁ ବ୍ୟାପକ ସହାୟତା ମିଳିବ ।
ତତ୍ଲୀ ପ୍ରଭାବିତ ଅଂଚଳର ଚାଷୀ ତଥା ଅନ୍ୟାନ୍ୟ ଲୋକଙ୍କ ସମସ୍ୟା ନେଇ ବୁଧବାର ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ତିତ୍ଲୀ କ୍ଷତିଗସ୍ତଙ୍କୁ ପ୍ୟାକେଜ ଦେବା ନେଇ ନିଷ୍ପତି ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ କୃଷି ପାଇଁ ଇନ ପୁଟ ସବ୍ସିଡି ଦେବେ ସରକାର । ୩୩ ପ୍ରତିଶତ ଓ ତଦୁଦ୍ଧ୍ୱର୍ କ୍ଷତିଗସ୍ତ ଚାଷୀଙ୍କୁ ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୮୦୦ଟଙ୍କା, ଜଳସେଚିତ ଜମିପାଇଁ ହେକ୍ଟର ପିଛା ୧୩,୫୦୦ ଟଙ୍କା, ସବୁଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮୦୦୦ ଟଙ୍କା ପ୍ରଦାନ କରାଯିବ ।

ସବୁଦିନିଆ ଫସଲ କ୍ଷେତ୍ରରେ ସର୍ବନିମ୍ନ ରିହାତି ୨ ହଜାର ଟଙ୍କା କରାଯାଇଥିବା ବେଳେ ଅନ୍ୟାନ୍ୟ ଫସଲ କ୍ଷେତ୍ରରେ ଏକ ହଜାର ଟଙ୍କା ରହିବ । ୨୦୧୮-୧୯ ରବି ଫସଲ ପାଇଁ ୨ ଲକ୍ଷ ମଞ୍ଜି କିଟ ଚାଷୀଙ୍କୁ ପ୍ରଦାନ କରାଯିବ । ମୂଳା ଓ ଆଳୁ ଜାତୀୟ ଚାଷୀଙ୍କୁ ୭ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ଦିଆଯିବ ।

ଛତୁ ଚାଷୀଙ୍କୁ ୟୁନିଟ ପିଛା ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ । ପଚାଶ ପ୍ରତିଶତ ରିହାତିରେ ପମ୍ପ ସେଟ, ସ୍ପ୍ରେୟାର,୯୦ ପ୍ରତିଶତ ରିହାତିରେ ସୌର ପମ୍ପ ସେଟ ପ୍ରଦାନ କରାଯିବ । ତା’ ଛଡା ଚାଷୀଙ୍କୁ ଉନ୍ନତ ମାନର ମଞ୍ଜି, ଚାରା ସହ ଜଳ ସେଚନ ସୁବିଧା କରାଯିବାକୁ ଘୋଷଣା କରାଯାଇଛି ।

୩୩ ପ୍ରତିଶତ ଓ ତଦୁଦ୍ଧ୍ୱର୍ କ୍ଷତିଗସ୍ତ ଚାଷୀଙ୍କ କୃଷି ଋଣ ଅବଧି ୨୦୧୯ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଦୁଆଁଳିଆ ଗାଇ ଓ ମଇଁଷି ପାଇଁ ପଶୁ ପିଛା ୩୦ ହଜାର ଟଙ୍କା ସର୍ବାଧିକ ୩ଟି ପଶୁ ପାଇଁ ଦିଆଯିବ । ସେହିପରି ବଳଦ ପାଇଁ ୨୫ ହଜାର ଟଙ୍କା, ବାଛୁରୀ ପିଛା (ସର୍ବାଧିକ ୬ଟି) ୧୬ ହଜାର ଟଙ୍କା , ଛେଳି ପିଛା ୩ ହଜାର ଟଙ୍କା(ସର୍ବାଧିକ ୩୦ଟି), କୁକୁଡା ପିଛା ୫୦ ଟଙ୍କା (ସର୍ବାଧିକ ୫୦୦୦ଟି) ପ୍ରଦାନ କରାଯିବ ।

ସେହିପରି ଗୁହାଳ ପୁନରୁଦ୍ଧାର ପାଇଁ ସହାୟତା ଦେବେ ସରକାର । ଗୋରୁ ଗୁହାଳ ପିଛା ଏକ ଲକ୍ଷ ୧୩ ହଜାର ଟଙ୍କା, ଛେଳି ଗୁହାଳ ପିଛା ୪୪ ହଜାର ଟଙ୍କା ପ୍ରଦାନ କରାଯିବ । ମତ୍ସ୍ୟ ଚାଷୀଙ୍କୁ ଡଙ୍ଗା ପିଛା ୨୨,୫୦୦ ଟଙ୍କା, ଜାଲ ପିଛା ୧୫ ହଜାର ଟଙ୍କା ପ୍ରଦାନ କରାଯିବ । ମାଛ ଚାଷରେ କ୍ଷତି ପାଇଁ ହେକ୍ଟର ପିଛା ଏକ ଲକ୍ଷ ୧୨ହଜାର ୫ଶହ ଟଙ୍କା (୭୫ ପ୍ରତିଶତ ରିହାତିରେ ) ଦିଆଯିବ ।

ସାମୁଦ୍ରିକ ଅଂଚଳର ମତ୍ସ୍ୟଜୀବୀଙ୍କ ଡଙ୍ଗା ପିଛା ୬୦ ହଜାର ଟଙ୍କା, ଜାଲ ପିଛା ୧୫ ହଜାର ଟଙ୍କା ପ୍ରଦାନ କରାଯିବ । ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗରଙ୍କୁ ଯନ୍ତ୍ରପାତି ପାଇଁ ବ୍ୟକ୍ତି ପିଛା ୪୧୦୦ ଟଙ୍କା ଓ କଂଚାମାଲ ପାଇଁ ୪୧୦୦ ଟଙ୍କା ପ୍ରଦାନ କରାଯିବ । ରେଶମଚାଷୀଙ୍କୁ ହେକ୍ଟର ପିଛା ୪୮୦୦ ଟଙ୍କା ଇନ ପୁଟ୍ ସବ୍ସିଡି ପ୍ରଦାନ କରାଯିବ ।

ସଂପୂର୍ଣ୍ଣ କ୍ଷତିଗସ୍ତ ରିଅରିଂ ହାଉସର ପୁନରୁଦ୍ଧାର ପାଇଁ ୧.୭୫ ଲକ୍ଷ ଟଙ୍କା, ଆଂଶିକ କ୍ଷତି ପାଇଁ ୫୭ ହଜାର ଟଙ୍କା ପ୍ରଦାନ କରାଯିବ । ଚାଷ କ୍ଷେତ୍ରରେ ପ୍ରଡୁସର ଗ୍ରୁପକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ । ମହିଳା ଗୋଷୀକୁ ଅତିରିକ୍ତ ୫ ହଜାର ଟଙ୍କା ସିଡ ମନି ଦିଆଯିବ ।

୩୩ ପ୍ରତିଶତ ଓ ତଦୁଦ୍ଧ୍ୱର୍ କ୍ଷତିଗସ୍ତ ଚାଷୀଙ୍କୁ ଭୂରାଜସ୍ୱ ସେସ ଓ ଜଳକର ଛାଡ କରାଯିବ । ହାଇସ୍କୁଲ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ସ୍କୁଲ ଦେୟ ଓ ପରୀକ୍ଷା ଫି ଛାଡ କରାଯିବ । ପ୍ରାଥମିକ ବିଦ୍ୟାଳୟରେ ଦୁଇ ହଳ ସ୍କୁଲ ପୋଷାକ ଓ ପାଠ୍ୟ ପୁସ୍ତକ ପ୍ରଦାନ କରଯିବ ବୋଲି ଘୋଷଣା କରାଯାଇଛି ।

Leave a Reply