ଗଠନ ହେବ ଓଡିଶା ବିଧାନ ପରିଷଦ : ବିରୋଧିଙ୍କ କକ୍ଷତ୍ୟାଗ ମଧ୍ୟରେ ସଂକଳ୍ପ ଗୃହୀତ

0
472
odisha legislative council cleared in assembly
odisha legislative council cleared in assembly

ଭୁବନେଶ୍ୱର : ଓଡିଶା ବିଧାନ ପରିଷଦ ଗଠନ ସଂପର୍କିତ ସଂକଳ୍ପ ବିଧାନସଭାରେ ଗୃହୀତ ହୋଇଛି । ବିରୋଧି କଂଗ୍ରେସ ଓ ବିଜେପି ସଭ୍ୟଙ୍କ ବିରୋଧ ଓ କକ୍ଷତ୍ୟାଗ ମଧ୍ୟରେ ବହୁମତରେ ଏହି ସଂକଳ୍ପ ପାରିତ ହୋଇଛି ।
ଓଡିଶା ବିଧାନସଭାରେ ଗୁରୁବାର ଦିନ ଓଡିଶା ବିଧାନ ପରିଷଦ ଗଠନ ନେଇ ସଂକଳ୍ପ ପ୍ରସ୍ତାବ ଆଗତ ହୋଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସଂକଳ୍ପ ପ୍ରସ୍ତାବ ଆଗତ କରି କହିଥିଲେ ଯେ ଦେଶରେ ୭ଟି ରାଜ୍ୟରେ ବିଧାନ ପରିଷଦ ରହିଛି । ସମ୍ବିଧାନର ୧୭୧ ଅନୁଛେଦରେ ଓଡିଶାରେ ବିଧାନ ପରିଷଦ ହେଲେ ସେଥିରେ ୪୯ ଜଣ ସଦସ୍ୟ ରହିବେ । ଏହା ଏକ ସ୍ଥାୟୀ ଗୃହ ଭାବେ କାର୍ଯ୍ୟ କରିବ ।

ପ୍ରତି ୨ ବର୍ଷରେ ଏକ ତୃତୀୟାଂଶ ସଭ୍ୟ ଅବସର ନେବେ । ବିଧାନ ପରିଷଦ ପାଇଁ ବାର୍ଷିକ ୩୫ କୋଟି ଟଙ୍କା ବ୍ୟୟ ହେବ । ଶ୍ରୀ ଆରୁଖଙ୍କ ସୂଚନା ଅନୁସାରେ ୪୯ ସଦସ୍ୟଙ୍କ ମଧ୍ୟରୁ ୧୬ ଜଣ ବିଧାନ ସଭାର ସଭ୍ୟଙ୍କ ଦ୍ୱାରା ନିର୍ବାଚିତ ହେବେ । ଆଉ ୧୬ ଜଣ ଜିଲ୍ଲାପରିଷଦ, ପଂଚାୟତ ସମିତି ଓ ସମସ୍ତ ସହରାଂଚଳ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଦ୍ୱାରା ନିର୍ବାଚିତ ହେବେ । ତା’ଛଡା ୩ ବର୍ଷର ଅଭିଜ୍ଞତା ଥିବା ସ୍ନାତକଙ୍କୁ ନେଇ ଗଠିତ ଇଲେକ୍ଟ୍ରୋରାଲ କଲେଜ ଦ୍ୱାରା ୪ ଜଣ ନିର୍ବାଚିତ ହେବେ ।

ସେହିପରି ୩ ବର୍ଷର ଅଭିଜ୍ଞତା ଥିବା ମାଧ୍ୟମିକ ତଥା ତଦୁର୍ଦ୍ଧ ଶିକ୍ଷକଙ୍କୁ ନେଇ ଗଠିତ ଇଲେକ୍ଟ୍ରୋରାଲ କଲେଜ ଦ୍ୱାରା ୪ ଜଣ ନିର୍ବାଚିତ ହେବେ । ଅବଶିଷ୍ଟ ୯ ଜଣଙ୍କୁ ସାହିତ୍ୟ, କଳା, ବିଜ୍ଞାନ, ସମବାୟ, ସାମଜିକ କ୍ଷେତ୍ରରେ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ରାଜ୍ୟପାଳ ମନୋନୀତ କରିବେ । ଭୁବନେଶ୍ୱରରେ ଥିବା ପୁରୁଣା ବିଧାନସୌଧରେ ବିଧାନ ପରିଷଦ ଅଧିବେଶନ ବସିବ । ବିଧାନସଭା ଓ ବିଧାନ ପରିଷଦର ମିଳିତ ବୈଠକ ବିଧାନସଭା ପରିସରରେ ଥିବା ୪ଶହ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷରେ ହେବ ବୋଲି ଶ୍ରୀ ଆରୁଖ କହିଥିଲେ ।

ଅନ୍ୟ ପକ୍ଷରେ ବିରୋଧି କଂଗ୍ରେସ ଓ ବିଜେପି ପକ୍ଷରୁ ବିଧାନ ପରିଷଦ ଗଠନକୁ ବିରୋଧ କରାଯାଇଥିଲା । ବିଧାନସଭାକୁ ଅନେକ ବିଧାୟକ ଆସୁ ନାହନ୍ତି କିମ୍ବ ଚର୍ଚ୍ଚା କରୁନଥିବା ବେଳେ ବିଧାନ ପରିଷଦ ଗଠନର କ’ଣ ଆବଶ୍ୟକତା ରହିଛି ବୋଲି ବିରୋଧି ଦଳ ମୁଖ୍ୟ ସଚେତକ ତାର ପ୍ରସାଦ ବାହୀନିପତି ପ୍ରଶ୍ନ କରିଥିଲେ । ଏହା ଏକ ଅନାବଶ୍ୟକ ଖର୍ଚ୍ଚ ବୋଲି ସେ କହିଥିଲେ ।

ସେହିପରି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ବିଧାନ ପରିଷଦ ଓଡିଶା ଭଳି ରାଜ୍ୟରେ ଅବଶ୍ୟକତା ନାହିଁ । ବିଜେଡି ନେତାଙ୍କ ଥଇଥାନ ପାଇଁ ଏହା ଗଠନ କରାଯାଉଛି । ଏହା ଦ୍ୱାରା ରାଜ୍ୟର ରାଜସ୍ୱ ଖର୍ଚ୍ଚ ହେବ । ଉଭୟ କଂଗ୍ରେସ ଓ ବିଜେପି ଏହାକୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ । ଏହି ସଂକଳ୍ପଟି ୧୦୪ଟି ଭୋଟରେ ଗୃହୀତ ହୋଇଥିଲା । ସ୍ୱାଧୀନ ବିଧାୟକ ସନାତନ ମହାକୁଡ ସଂକଳ୍ପ ସପକ୍ଷରେ ମତଦାନ କରିଥିଲେ ।