ରାଜ୍ୟରେ ତୈଳ ଦର ବୃଦ୍ଧି ଓ ଶିକ୍ଷକ ସମସ୍ୟା ବଡ଼ ପ୍ରସଙ୍ଗ ହୋଇ ଠିଆ ହୋଇଛି । ଗୋଟିଏ ପଟେ ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ଆଜିଠାରୁ ତିନି ଦିନ ବ୍ୟାପି ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ସେପଟେ ଗୃହରେ ମଧ୍ୟ ତେଲ ତାତି ଦେଖିବାକୁ ମିଳିଛି । ଶାସକ ଦଳର ସଦସ୍ୟ ମାନେ ଗୃହରେ କେନ୍ଦ୍ର ବିରୋଧରେ ନାରାବାଜି କରୁଥିବା ବେଳେ କଂଗ୍ରେସ ମଧ୍ୟ ଶିକ୍ଷକଙ୍କ ଦାବି ନେଇ ରାଜ୍ୟ ସରକାରଙ୍କୁ ଘେରିଛି । ଫଳରେ ଗୃହ ଚଳାଇବା କଷ୍ଟକର ହେବାରୁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।
ଆଜି ଗୃହ କାର୍ଯ୍ୟ ହୋଇଥିଲା । ଆରମ୍ଭରୁ ଶାସକ ଦଳ ଅହେତୁକ ତୈଳ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । କେନ୍ଦ୍ର ବିରୁଦ୍ଧରେ ସ୍ଲୋଗାନ ଦେଇ ବାଚସ୍ପତିଙ୍କ ପୋଡିୟମ୍ ନିକଟକୁ ଆସି ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଅଧିବେଶନର ଚତୁର୍ଥ ଦିନରେ ସମାନ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଘେରିଛି । ଏହା ଉପରେ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ଆଗତ କରିଥିଲେ । ବାଚସ୍ପତି ଶିକ୍ଷକଙ୍କ ସମସ୍ୟା ଉପରେ ଆଲୋଚନା କରିବାକୁ ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରିଥିଲେ । କିନ୍ତୁ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ହୋ ହାଲ୍ଲା କରିଥିଲେ । ଶାସକ ଓ ବିରୋଧୀ ସଦସ୍ୟଙ୍କ ଗର୍ଜନରେ ଗୃହ ଏକ ପ୍ରକାର ଅଚଳ ହୋଇପଡ଼ିଥିଲା । ଫଳରେ ବାଚସ୍ପତି ପ୍ରଦୀପ ଅମାତ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ।