ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା : ବିନୋଦ କୁମାରଙ୍କୁ ମିଳିଲା ଜାମିନ

0
360
jail for vinod kumar
jail for vinod kumar
କଟକ :  ଓଆର୍‌ଏଚ୍‌ଡିସି ଦୁର୍ନୀତି  ମାମଲାରେ ଆଇଏଏସ ବିନୋଦ କୁମାରଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ତେବେ ତଳକୋର୍ଟ(ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ)କୁ ଜାମିନର ସର୍ତ୍ତ ନିର୍ଦ୍ଧାରଣ କରିବାକୁ  ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

 ବହୁ ଚର୍ଚ୍ଚିତ ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ୍‌ ଡେଭଲପମେଣ୍ଟ କର୍ପୋରେସନ୍‌ (ଓଆର୍‌ଏଚ୍‌ଡିସି) ଅର୍ଥ କାରବାରରେ ଅନିୟମିତତା ନେଇ ଆଇଏଏସ ବିନୋଦ କୁମାରଙ୍କୁ ଭିଜିଲାନ୍ସ କୋର୍ଟରୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବାବେଳେ ଆଜି ହାଇକୋର୍ଟରୁ ତାଙ୍କୁ ଜାମିନ ମିଳିଛି। ତାଙ୍କ ସହଯୋଗୀ ପୂଣ୍ଣଚନ୍ଦ୍ର ଦାସଙ୍କୁ ମଧ୍ୟ ଜାମିନ୍ ମିଳିଥିବା ସୂଚନା ମିଳିଛି। ତେବେ ତଳକୋର୍ଟ(ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ)କୁ ଜାମିନର ସର୍ତ୍ତ ନିର୍ଦ୍ଧାରଣ କରିବାକୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ୧୦ ତାରିଖରେ ଫେରାର ଥିବା ବିନୋଦ କୁମାର ଖୋର୍ଦ୍ଧା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଓ ସହଯୋଗୀ ପୂର୍ଣ୍ଣଚନ୍ଦ୍ରଙ୍କୁ ୩ ବର୍ଷ ଜେଲ ଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା କରାଯାଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ବିନୋଦ ଓ ତାଙ୍କ ସହଯୋଗୀ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାତ୍ର ତାଙ୍କ ଜାମିନ ଶୁଣାଣିକୁ କୋର୍ଟ ଘୁଞ୍ଚାଇ ଦେଇ ସୋମବାର ଦିନ ଶୁଣାଣି ହେବ ବୋଲି କହିଥିଲେ। ଫଳରେ ବିନୋଦ କୁମାର ଗତ ଶୁକ୍ରବାରଠାରୁ ଝାରପଡା ଜେଲରେ ଥିଲେ। ଆଜି ଶୁଣାଣି ହେବା ପରେ ହାଇକୋର୍ଟ ଦୁହିଁଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୦୦ ମସିହାରେ ଓଆରଏଚଡିସିରେ ୫୫ ଲକ୍ଷ ଟଙ୍କାର ଅନିୟମିତତା ଅଭିଯୋଗ ହୋଇଥିଲା । ଏହି ଦୁର୍ନୀତି ମାମଲାରେ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଓଆରଏଚଡିସିର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର, ତତ୍କାଳୀନ ଆସିଷ୍ଟାଷ୍ଟ ମ୍ୟାନେଜର ସଂଜୟ ମହାନ୍ତି, ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସ, ଆକାଉଂଟାଂଟ ପ୍ରଦୀପ ରାଉତ, ଚିତରଞ୍ଜନ ମଲ୍ଲିକ ଓ ଆଶିଷ ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।