ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅର୍ଥ ମନ୍ତ୍ରୀ ଜେଟଲୀ କହିଛନ୍ତି ଯେ ଆଜି ତୈଳ ମନ୍ତ୍ରଣାଳୟର କ୍ୟାବିନେଟ୍ ବୈଠକରେ ଏହି ବିଷୟରେ ଆଲୋଚନା କରାଯାଇଥିଲା। ଉପଭୋକ୍ତାଙ୍କୁ ଆଶ୍ଵସ୍ତ ଦେବା ପାଇଁ ରାଜସ୍ଵ ବିଭାଗ ଏବେ ତିନୋଟି ଭାଗରେ ବଣ୍ଟା ଯିବ। ଏହି କ୍ରମରେ ଏକ୍ସାଇଜ ଡ୍ୟୁଟି ୧.୫ ଟଙ୍କା ହ୍ରାସ ପାଇବ। ତୈଳ ବିପଣନକାରୀ କମ୍ପାନୀ ଏକ ଟଙ୍କା ହ୍ରାସ କରିବେ। ଏହି ପରି ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପଭୋକ୍ତାଙ୍କୁ ତୁରନ୍ତ ଅଢେଇ ଟଙ୍କାର ଆଶ୍ଵସ୍ତ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହା ସହିତ ରାଜ୍ୟ ସରକାର ମଧ୍ୟ ସେହି ପରିମାଣରେ ଟ୍ୟାକ୍ସ ହ୍ରାସ କରି ଉପଭୋକ୍ତାଙ୍କୁ ଆଶ୍ଵସ୍ତ ଦିଅନ୍ତୁ ବୋଲି ଜେଟଲୀ କହିଛନ୍ତି। ଏପରି ହେଲେ ଗ୍ରାହକଙ୍କୁ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୫ ଟଙ୍କା ଆଶ୍ଵସ୍ତି ମିଳିବ ବୋଲି ଜେଟଲୀ କହିଛନ୍ତି।
ସେ କହିଛନ୍ତି ଯେ ଆମେରିକା ସୁଧ ଦର ବୃଦ୍ଧି କରିଛି, ଯାହାର ପ୍ରଭାବ ବଜାର ଉପରେ ପଡ଼ିଛି। ଦୁନିଆରେ ଚାଲିଥିବା ବାଣିଜ୍ୟ ଲଢେଇର ପ୍ରଭାବ ଦେଶର ମୁଦ୍ରା ଉପରେ ମଧ୍ୟ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ଆମେ ଆଇଏଲଏଣ୍ଡଏଫଏସର ବୋର୍ଡକୁ ବଦଳାଇ ଦେଇଛୁ। ଆମେ ଦେଶରେ ଆମଦାନୀ କେମିତି ହ୍ରାସ ପାଇବ ସେଥି ପ୍ରତି ମଧ୍ୟ ପଦକ୍ଷେପ ନେଇଛୁ। ଦେଶରେ ମହଙ୍ଗାଇ ଏବେ ନିୟନ୍ତ୍ରଣରେ ରହିଛି ଏବଂ ଏହା ୪ ପ୍ରତିଶତରେ ରହିଛି। ଏହି ପରି ଗତ ତ୍ରୈମାସରେ ଜିଡିପି ୮.୨ ପ୍ରତିଶତ ରହିଥିବା ଜେଟଲୀ କହିଛନ୍ତି।
ଅର୍ଥ ମନ୍ତ୍ରୀ ଜେଟଲୀ ତୈଳ ସଚିବଙ୍କୁ ଭେଟି ପେଟ୍ରୋଲ-ଡିଜେଲର ଦର ବୃଦ୍ଧି ଉପରେ କେମିତି ଲଗାମ ଲଗାଯିବ ସେ ନେଇ ବିଚାର କରିଛନ୍ତି। କାରଣ ତୈଳ ଦର ବୃଦ୍ଧି ସରକାରଙ୍କ ପାଇଁ ସବୁଠୁ ଚିନ୍ତାର କାରଣ ପାଲଟିଛି। ସୂତ୍ର ମୁତାବକ ଏହି ସମ୍ବନ୍ଧରେ ବୁଧବାର ସନ୍ଧ୍ୟାରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଆଲୋଚନା କରିଥିଲେ।