ମହାନଦୀ ବିଷୟରେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ପ୍ରଧାନମନ୍ତ୍ରୀ : ନିରଞ୍ଜନ

0
376
pcc
pcc

ଭୁବନେଶ୍ୱର :  ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷିତ ରଖିବାକୁ ଠୋସ ପଦକ୍ଷେପ ନିଅନ୍ତୁ ।  ମହାନଦୀ ବିଷୟରେ  ଆଭିମୁଖ୍ୟ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରନ୍ତୁ । ସାମ୍ବାଦିକ ସମ୍ମିଳନୀରେ  ପିସିସିର ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି ।

ଶ୍ରୀ ପଟ୍ଟନାୟକ କହିଲେ ଯେ, ପ୍ରଧାନମନ୍ତ୍ରୀ କଟକ ଆସୁଥିବା ଆନନ୍ଦର ବିଷୟ । କିନ୍ତୁ ମହାନଦୀ ବିଷୟରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବେ ବୋଲି ରାଜ୍ୟବାସୀଙ୍କର ଆଶା ରହିଛି । ମହାନଦୀ ଉଜୁଡ଼ିଗଲେ ରାଜ୍ୟ ଉଜୁଡ଼ି ଯିବ । ଲୋକଙ୍କ ମନରେ ଯେଉଁ ଭୟର ଆଶଙ୍କା ସୃଷ୍ଟି ହୋଇଛି ତାର ନିରାକରଣ ପାଇଁ ପ୍ରଧାନମନ୍ତ୍ରୀ ପଦକ୍ଷେପ ନେବା ଅପରିହାର୍ଯ୍ୟ ହୋଇପଡ଼ିଛି । ମହାନଦୀ କେବଳ ଛତିଶଗଡ଼ର ନୁହେଁ ତାହା ଓଡ଼ିଶାରେ ମଧ୍ୟ ଏହି ନଦୀ ପ୍ରବାହିତ ହେଉଛି । ଓଡ଼ିଶାକୁ ନ ଜଣାଇ କୌଣସି ଅନୁମତି ନଥାଇ ଛତିଶଗଡ଼ ବେନିୟମ ଭାବେ କାର୍ଯ୍ୟ କରିଛନ୍ତି । ମୋଦିଜୀ କେବଳ ବିଜେପିର ନେତା ନୁହଁନ୍ତି ସେ ଦେଶର ପ୍ରଧାନମନ୍ତ୍ରୀ । ସେ ରାଜନୈତିକ ସ୍ୱାର୍ଥର ଉଦ୍ଧ୍ୱର୍କୁ ଯାଇ ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷିତ ରଖିବାକୁ ଠୋସ ପଦକ୍ଷେପ ନିଅନ୍ତୁ । ବେନିୟମ ଭାବେ ଓ ଘରୋଇ କମ୍ପାନୀ ମାନଙ୍କ ଟଙ୍କାରେ ବନ୍ଧ ବାନ୍ଧି ମହାନଦୀକୁ ଏକତରଫା ବିକ୍ରି କରିଦେଇଥିବା ଛତିଶଗଡ଼ ସରକାରକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ନାୟକ ଭାବେ ଅଟକାନ୍ତୁ । ଯେ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲର ନିଷ୍ପତି ନ ଆସିଛି ସବୁ ନିର୍ମାଣ ବନ୍ଦ ରହିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରନ୍ତୁ । ଏହା ବ୍ୟତୀତ ଅଟକାଯାଇଥିବା ପାଣିକୁ ତୁରନ୍ତ ଛାଡ଼ିବା ପାଇଁ ଛତିଶଗଡ଼ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ । ବର୍ତମାନ ସମୟରେ ପାଣି ପାଇଁ ରାଜ୍ୟରେ ହା ହା କାର ଦେଖାଦେଇଛି । ବର୍ଷା ଆସୁ ଆସୁ ଆଉ ଦୁଇମାସ ସମୟ ନେବ ।

ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କଟକ ଆସୁଛନ୍ତି । ମହାନଦୀ କୂଳରେ ବାଲିଯାତ୍ରା ପଡ଼ିଆରେ ସଭା କରିବେ । କିନ୍ତୁ ଓଡ଼ିଶାବାସୀଙ୍କ ଦୁଃଖ ଯଦି ନ ବୁଝିବେ ଅକ୍ଷମଣୀୟ ଅପରାଧ ହେବ । ଓଡ଼ିଶାବାସୀ କେବେ ବି ତାଙ୍କୁ ଭବିଷ୍ୟତରେ କ୍ଷମାଦେବେ ନାହିଁ । ପ୍ରଧାନମନ୍ତ୍ରୀ କଟକ ଆସିବା ପୂର୍ବରୁ ରାଜ୍ୟରେ ଜଳସେଚନ ପାଇଁ ଏକ ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ପେକେଜ ଘୋଷଣା କରନ୍ତୁ । ଏହା ଛଡ଼ା ପେଟ୍ରୋଲ ଡିଜେଲ ଦର କମେଇବା ପାଇଁ ଘୋଷଣା କରିବା ପାଇଁ ସେ ଦାବି କରିଛନ୍ତି ।