ଡିଏମଏଲଟି ଓ ଡିଏମଆରଟି ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦାବିରେ ସୋମବାର ଛାତ୍ର କଂଗ୍ରେସ ଭବନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ପାଇଁ ଉଦ୍ୟମ କରାଯାଇଥିଲା । ଛାତ୍ର କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ନବୀନ ନିବାସ ଆଡକୁ ଅଗ୍ରସର ହେଉଥିବା ବେଳେ ରାଜମହଲ ଛକ ଠାରେ ପୋଲିସ୍ ପକ୍ଷରୁ ସେମାନଙ୍କୁ ଅଟକାଯାଇଥିଲା ।
ତେବେ ଛାତ୍ରଛାତ୍ରୀମାନେ ବ୍ୟାରିକେଟ୍ ଡେଇଁ ଆଗକୁ ମାଡି ଚାଲିଥିଲେ । ଫଳରେ ପୋଲିସ୍ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତ୍ୟକ୍ତ ଛାତ୍ରଛାତ୍ରୀମାନେ ପୋଲିସ୍ ଗାଡିକୁ ଭଙ୍ଗାରୁଜା କରିଥିଲେ । ପୋଲିସ୍ ଶତାଧିକ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ପୋଲିସ୍ ଗିରଫ କରିଥିଲା । ଏହା ପୂର୍ବରୁ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କରିଥିଲେ।
ଅପରପକ୍ଷରେ ୭ ଦିନ ମଧ୍ୟରେ ଦାବି ପୂରଣ ନହେଲେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ କରାଯିବ ବୋଲି ଛାତ୍ର କଂଗ୍ରେସ ନେତା ଇତୀଶ ପ୍ରଧାନ ଚେତାବନୀ ଦେଇଛନ୍ତି ।