ପ୍ରଦ୍ୟୁଷଣ କବଳରେ ମହାନଦୀ

0
403
polluted mahanandi
polluted mahanandi

ଭୁବନେଶ୍ୱର : ମହାନଦୀକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ମହାନଦୀ ଏହାର ଉପନଦୀ ଓ ଶାଖାନଦୀଗୁଡ଼ିକର ଜଳ ପ୍ରଦ୍ୟୁଷଣ ଏବେ ଚିନ୍ତାର କାରଣ ହୋଇଛି । ସହରାଂଚଳରୁ ନିର୍ଗତ ନର୍ଦ୍ଦମା ଜଳ ଓ ବର୍ଜ୍ୟବସ୍ତୁ ସହ କାରଖାନା ବର୍ଜ୍ୟଜଳ ନଦୀରେ ମିଶୁଥିବାରୁ ପ୍ରଦ୍ୟୁଷଣ ବୃଦ୍ଧି ପାଉଥିବା ଜଣାପଡିଛି ।
ରାଜ୍ୟର ଜୀବନରେଖା କୁହାଯାଉଥିବା ମହାନଦୀ ଜଳ ବହୁ ସ୍ଥାନରେ ଅତିମାତ୍ରାରେ ପ୍ରଦୂଷିତ । ଏମିତିକି ଅନେକ ସ୍ଥାନରେ ନଦୀ ଜଳକୁ ବିଶୋଧନ କରି ପାନୀୟ ଜଳ ଭାବେ ବ୍ୟବହାର କରାଯାଇପାରିବ ନାହିଁ । ନଦୀ ଜଳ ପ୍ରଦୂଷିତ କରୁଥିବା ଅଭିଯୋଗରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଟକ ଓ ସମ୍ବଲପୁର ପୌରସଂସ୍ଥା ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିଥିବା ସଂପୃକ୍ତ ବିଭାଗ ସୂତ୍ରରୁ ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡ଼ର ଅମରକଂଟକ ପର୍ବତର ଫାରସିୟା ଗ୍ରାମ ନିକଟରୁ ମହାନଦୀ ବାହାରି ଝାରସୁଗୁଡ଼ା ଜିଲ୍ଲାରେ ଓଡ଼ିଶା ଭିତରେ ପଶିଛି । ଓଡ଼ିଶାରେ ଏହା ୪୯୪ କିଲୋମିଟର ପ୍ରବାହିତ ହେବା ପରେ ପାରାଦୀପ ଠାରେ ବଙ୍ଗୋପସାଗରରେ ମିଶିଛି । ଓଡ଼ିଶା ଭିତରେ ଇବ୍, ଓଙ୍ଗ୍, ତେଲ ଆଦି ମହନାଦୀର ମୁଖ୍ୟ ଉପନଦୀ ଥିବା ବେଳେ ପ୍ରମୁଖ ଶାଖା ନଦୀଗୁଡ଼ିକ ହେଉଛନ୍ତି କାଠଯୋଡ଼ି, ବିରୂପା, କୁଆଖାଇ, ଦୟା, ଭାର୍ଗବୀ, କୁଶଭଦ୍ରା, ଦେବୀ, ମଙ୍ଗଳା ଓ ଗୋବରୀ ଇତ୍ୟାଦି । ଏହି ନଦୀଗୁଡ଼ିକର ୫୫ଟି ସ୍ଥାନରେ ଜଳର ଗୁଣାତ୍ମକ ମାନ ରାଜ୍ୟ ପ୍ରଦୂଷଣ ବୋର୍ଡ ପରୀକ୍ଷା କରିଥାଏ ।

ମହାନଦୀର ଅନ୍ୟତମ ଉପନଦୀ ଭେଡେନ୍ରେ ଫ୍ଲୋରାଇଡ୍ ପରିମାଣ ଉଦ୍ଦିଷ୍ଟ ମାନ ଠାରୁ ଅଧିକ ରହୁଥିବା ବେଳେ ମହାନଦୀ ଏବଂ ଏହାର ଉପନଦୀ ଓ ଶାଖାନଦୀରେ ମୁଖ୍ୟତଃ ସମ୍ବଲପୁର, କଟକ, ଭୁବନେଶ୍ୱର ଓ ପାରାଦୀପ ସହରାଂଚଳରୁ ନିର୍ଗତ ନର୍ଦ୍ଦମା ଜଳ ଓ ବର୍ଜ୍ୟବସ୍ତୁ ମିଶୁଛି । ସେହିପରି ଏହି ନଦୀଗୁଡ଼ିକରେ ଇଫ୍କୋ, ପାରାଦୀପ ଫସ୍ଫେଟ୍ସ, ଜଗତପୁରର କସ୍ବୋର୍ଡ, ମନୋହରପାଲୀର ଇବ୍ ଥର୍ମାଲ, ବେଦାନ୍ତ, ଭୂଷଣ, ହିନ୍ଦାଲ୍କୋ, ପାରାଦୀପ ବନ୍ଦର ଆଦିର ବର୍ଜ୍ୟ ଜଳ ମିଶୁଛି । ମହାନଦୀ କୋଲ୍ ଫିଲ୍ଡସର କେତେକ କୋଇଲା ଖଣିର ବର୍ଜ୍ୟ ଜଳ ମଧ୍ୟ ଏହି ନଦୀରେ ମିଶୁଛି ।

ଇବ୍ ଓ ଭେଡେନ୍ ନଦୀର ଜଳ ଝାରସୁଗୁଡ଼ାଠାରେ, ମହାନଦୀର ଜଳ ସମ୍ବଲପୁର, କଟକ ଠାରେ ବେଶୀ ପ୍ରଦୂଷିତ ଥିବା ବେଳେ କାଠଯୋଡ଼ିର ଜଳ କଟକ, ମତଗଜପୁର, କମା ଶାସନଠାରେ ବି ଅତିମାତ୍ରାରେ ପ୍ରଦୂଷଣ । ସେରୁଆ ନଦୀର ଜଳ ଶଙ୍ଖତ୍ରାସଠାରେ ବେଶ୍ ପ୍ରଦୂଷିତ ଥିବା ବେଳେ କୁଆଖାଇର ଜଳ ହଂସପାଳ ନିକଟରେ ମଧ୍ୟ ପ୍ରଦୂଷିତ । ଦୟା ନଦୀର ଜଳ ଭୁବନେଶ୍ୱରରୁ କଣାସ ପର୍ଯ୍ୟନ୍ତ ସବୁ ସ୍ଥାନରେ ପ୍ରଦୂଷିତ । ସେହିପରି ଗଙ୍ଗୁଆ ନଦୀର ଜଳ ମୂଳରୁ ଶେଷ ପର୍ଯ୍ୟନ୍ତ ଅତ୍ୟନ୍ତ ପ୍ରଦୂଷିତ ଥିବା ବେଳେ ବିରୂପାର ଜଳ ଚୌଦ୍ୱାର ନିକଟରେ, କୁଶଭଦ୍ରାର ଜଳ ଭିଙ୍ଗାରପୁର, ନିମାପଡ଼ା ଓ ଗୋପ ନିକଟରେ ବି ବେଶ୍ ପ୍ରଦୂଷିତ ।

ଭାର୍ଗବୀ ନଦୀର ଜଳ ଚନ୍ଦନପୁର, ମଙ୍ଗଳା ନଦୀର ଜଳ ମାଳତିପାଟପୁର ଓ ଗୋଲାସାହିଠାରେ, ଗୋବରୀ ନଦୀର ଜଳ କେନ୍ଦ୍ରାପଡ଼ଠାରେ, ଲୁଣା ବିଜିପୁର ଓ କୁସୁମୀ ନଦୀ ଜଳ ଟାଙ୍ଗୀଠାରେ ଅତି ମାତ୍ରାରେ ପ୍ରଦୂଷିତ । ସେହିପରି ବାଣପୁର ନିକଟରେ କଂସାରୀ ନଦୀ, ଲଙ୍ଗଳେଶ୍ୱର ପାଖରେ ବଡ଼ଶଙ୍ଖ ନଦୀ, ରମ୍ଭା ନିକଟରେ ଶାବୁଳିଆ ନଦୀ ଓ କୁମାରଡିହିଠାରେ ରତ୍ନଚିରା ନଦୀର ଜଳ ବେଶ୍ ପ୍ରଦୂଷିତ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପରୀକ୍ଷଣ ରିପୋର୍ଟରୁ ଜଣାପଡ଼ିଛି ।
ମହାନଦୀ ଏବଂ ତା’ର ଉପନଦୀ ଓ ଶାଖାନଦୀ କୂଳରେ ଥିବା କଳକାରଖାନା, ଖଣି ଖାଦାନ, ପୌରସଂସ୍ଥା ଆଦି ସେମାନଙ୍କ ବର୍ଜ୍ୟଜଳର ବିଶୋଧିକରଣ ସହ ପୂର୍ଣ୍ଣ ବ୍ୟବହାର ଲାଗି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରାମର୍ଶ ଦେଇଆସୁଛି । ସେହିପରି ଏହି ନଦୀଗୁଡ଼ିକ କୂଳରେ ଥିବା ପୌର ସଂସ୍ଥାମାନଙ୍କୁ ମଧ୍ୟ ବୋର୍ଡ ପକ୍ଷରୁ ବାରମ୍ବାର ସତର୍କ କରାଯାଉଥିବା ସୂଚନା ଦିଆଯାଇଛି ।