ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ପ୍ରଦୀପ୍ତ ମହାପାତ୍ର

0
351
p.k mohapatra
p.k mohapatra
ପୁରୀ :ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରଦୀପ୍ତ ମହାପାତ୍ର ।  ସରକାର ଦେଇଥିବା ଦାୟିତ୍ୱକୁ ଠିକ୍ ଭାବେ ତୁଲାଇବି। ଯିଏ ଥରେ ପୁରୀ ଆସିଲେ, ସେ ପୁନର୍ବାର ଏଠାକୁ ଆସିବାକୁ ଇଚ୍ଛା ପ୍ରକାଶ କରିବ ସେ ନେଇ ଚିନ୍ତା କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଶ୍ରୀମନ୍ଦିର ନବନିଯୁକ୍ତ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଶୁକ୍ରବାର  ଅପରାହ୍ନରେ ସେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଆସି ମୁଖ୍ୟ ପ୍ରଶାସକ ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଦାୟିତ୍ୱ ଗ୍ରହଣ କରିବା ପରେ ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେଇନଥିବା ବେଳେ ଶ୍ରୀ ମହାପାତ୍ର କହିଛନ୍ତି ମୁଁ କୌଣସି ବିବାଦ ଭିତରେ ନାହିଁ, ମୁଁ ଏବେ ଦାୟିତ୍ୱ ନେଇଛି । ସରକାର ଦେଇଥିବା ଦାୟିତ୍ୱକୁ ଠିକ୍ ଭାବେ ତୁଲାଇବି। ରଥଯାତ୍ରାକୁ କିପରି ଶୃଙ୍ଖଳିତ କରାଯିବ ସେ ନେଇ ବିଶେଷ ଗୁରୁତ୍ୱ ଦେବି। ଯାତ୍ରୀମାନଙ୍କ ସୁଖ ଓ ସ୍ୱାଚ୍ଛନ୍ଦ୍ୟକୁ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ମତବ୍ୟକ୍ତ କରିଛନ୍ତି। ଯିଏ ଥରେ ପୁରୀ ଆସିଲେ, ସେ ପୁନର୍ବାର ଏଠାକୁ ଆସିବାକୁ ଇଚ୍ଛା ପ୍ରକାଶ କରିବ ସେ ନେଇ ଚିନ୍ତା କରାଯିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ବିବାଦ ଦେଖାଯିବା ପରେ ରାଜ୍ୟ ସରକାର ଗତ ସୋମବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦେଇଥିଲେ। ତାଙ୍କ ସ୍ଥାନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଅତିରିକ୍ତ ଦାୟିତ୍ୱ ଭାବେ ନିଯୁକ୍ତ କରିଥିଲେ।