ନୂଆଦିଲ୍ଲୀ : ପ୍ରଫେସର ଗଣେଶୀ ଲାଲ୍ ଓଡିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ ପାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ଶ୍ରୀ ଲାଲ ଦାୟିତ୍ୱ ଗ୍ରହଣ କରିବା ଦିନରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ ବୋଲି ପ୍ରକାଶ । ଏବେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଓଡିଶାର ରାଜ୍ୟପାଳ ଦାୟିତ୍ୱରେ ଅଛନ୍ତି।
ସୂଚନାଯୋଗ୍ୟ, ଓଡିଶାର ପୂର୍ବତନ ରାଜ୍ୟପାଳ ଭାବେ ଦାୟିତ୍ୱ ନେଇଥିବା ଏସ.ସି. ଜମିରଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ବିହାରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଓଡିଶା ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିଲା। ନୂଆ ରାଜ୍ୟପାଳ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଶ୍ରୀ ମଲ୍ଲିକଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଥିଲେ। ତେବେ ଏବେ ହରିୟାଣାର ବିଜେପି ନେତା ପ୍ରଫେସର ଗଣେଶୀ ଲାଲ ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ବହନ କରିବେ । ଶ୍ରୀ ଲାଲ୍ ହରିୟାଣାର ପୂର୍ବତନ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଏବଂ ହରିୟାଣା ବିଜେପିର ପୂର୍ବତନ ରାଜ୍ୟର ସଭାପତି ମଧ୍ୟ ଥିଲେ। ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅନୁଶାସନ ସମିତିର ଅଧ୍ୟକ୍ଷ ବି ରହିସାରିଛନ୍ତି।