ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ : ନିର୍ଣ୍ଣାୟକ ଭୂମିକାରେ ନବୀନ

0
442
naveen patnaik
naveen patnaik

ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ଓ କଂଗ୍ରେସ ନେତୃତ୍ୱାଦୀନ ୟୁପିଏ ମଧ୍ୟରେ କଡା ଟକ୍କର ହେବାକୁ ଥିବାବେଳେ ବିଜେଡିର ଭୂମିକା ନିର୍ଣ୍ଣାୟକ ହେବ । ସେଥିପାଇଁ ଉଭୟ ଏନଡିଏ ଓ ୟୁପିଏ ପକ୍ଷରୁ ବିଜେଡିର ସମର୍ଥନ ଲୋଡା ଯାଉଥିବାରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କ ନିଷ୍ପତି ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ଅଗଷ୍ଟ ୯ ତାରିଖରେ ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବ । ଆଉ ଗୋଟିଏ ଦିନ ପରେ ନିର୍ବାଚନ ହେଉଥିବା ବେଳେ ସଂଖ୍ୟାର ଗଣିତକୁ ନେଇ ରାଜନୀତି ସରଗରମ ହୋଇଛି । ଏହି କ୍ଷେତ୍ରରେ ଆଂଚଳିକ ଦଳ ଗୁଡିକର ପ୍ରମୁଖ ଭୂମିକା ରହୁଛି । ସେ ଦୃଷ୍ଟିରୁ ବିଜେଡିର ମହତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଆଲେଚାନା ହେଉଛି ।

ଏନଡିଏ ପ୍ରାର୍ଥୀ ଜେଡିୟୁର ହରିବଂଶ ନାରାୟଣ ସିଂହ ହୋଇଥିବାବେଳେ ୟୁପିଏ ପକ୍ଷରୁ କଂଗ୍ରେସର ବି କେ ହରିପ୍ରସାଦଏହି ପଦବୀ ପାଇଁ ମଇଦାନକୁ ଓହ୍ଲାଇବେ । ଅନ୍ୟପକ୍ଷରେ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଟେଲିଫୋନ ଯୋଗେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏ ନେଇ ଆଲୋଚନା କରିବା ସହ ସମର୍ଥନ ମାଗିଛନ୍ତି ।

ସେହିପରି କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶ୍ରୀ ପଟ୍ଟନାୟକଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିବା ସହ ଏନଡିଏ ପ୍ରାର୍ଥୀଙ୍କ ପାଇଁ ସମର୍ଥନ ଲୋଡିଥିଲେ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ସୂଚନା ଦେଇଛନ୍ତି । ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ଶ୍ରୀ ପଟ୍ଟନାୟକଙ୍କ ସହ ଆଲୋଚନା କରି ୟୁପିଏ ପ୍ରାର୍ଥୀଙ୍କ ପାଇଁ ସମର୍ଥନ ମାଗିଥିଲେ ।

ମୁଖ୍ୟମନ୍ତ୍ରୀ ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଥିବାରୁ ଆହୁରି ଅନେକ ନେତା ତାଙ୍କ ସହ ଆଲେଚାନା କରିବାର ସମ୍ଭାବନା ରହିଛି । କାହାକୁ ସମର୍ଥନ ଦିଆଯିବ ସେ ନେଇ ବିଜେଡି ପକ୍ଷରୁ କିଛି କୁହାଯାଇ ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀ ଚୁଡାନ୍ତ ନିଷ୍ପତି ନେବେ ବୋଲି ମୁଖପାତ୍ର ଶ୍ରୀ ପାତ୍ର କହିଛନ୍ତି । ନିର୍ଭର ଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଜେଡି ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ କରିବ ।

କାରଣ ସଂଖ୍ୟା ଦୃଷ୍ଟିରୁ ଏନଡିଏ ମଜବୁତ ରହିଛି । ରାଜ୍ୟସଭାରେ ୨୪୪ ଜଣ ସଦସ୍ୟ ଥିବାରୁ ବିଜୟ ପାଇଁ ୧୨୩ ଭୋଟ ଦରକାର । ଏନଡିଏର ୯୫ ସଦସ୍ୟ ଥିବାବେଳେ ଏଆଇଏଡିଏମକେର ୧୩, ଟିଆରଏସର ୬, ୱାଇଏସର ୨ ସଦସ୍ୟଙ୍କ ସମର୍ଥନ ରହିଛି । ଯାହା ୟୁପିଏ ଠାରୁ ଅଧିକ । ତଥାପି ବିଜେଡିର ୯ ସଦସ୍ୟଙ୍କ ସମର୍ଥନ ନିର୍ଣ୍ଣୟକ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।