ଶ୍ରୀ ମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଏହାର ତଦନ୍ତ କରିବା ପାଇଁ ତଦନ୍ତ କମିଶନ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଏହି କମିଶନର ଅଧ୍ୟକ୍ଷ ଭାବେ ଜଷ୍ଟିସ୍ ରଘୁବୀର ଦାସଙ୍କୁ ଦାୟିତ୍ୱ ଦିଆଯାଇଛି । ଜଷ୍ଟିସ୍ ରଘୁବୀର ଦାସ ହେଉଛନ୍ତି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି । ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଆଜି ତଦନ୍ତ କମିଶନ ନିଯୁକ୍ତ କରାଯାଇଛି ।
ସୂଚନାଯୋଗ୍ୟ କି, ଗତ ମାସରେ ହୋଇଥିବା ରତ୍ନ ଭଣ୍ଡାର ଯାଂଚ ସମୟରେ ମନ୍ଦିରର ଭିତର ଭଣ୍ଡାର ଦ୍ୱାରରେ ୩ଟି ତାଲା ଦେଖିଥିଲେ ଯାଂଚକାରୀ । ସେହି ୩ଟି ରୁ ଗୋଟିଏରେ ଜଉମୁଦ ଦିଆଯାଇଥିବା ଦେଖିବାକୁ ମିଳିଥିଲା ଆହୁରି ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ଚାବି ସେ ତାଲାର ନଥିବା କଥା ଜଣାପଡିଥିଲା । ସେ ସମୟରେ ପରିଚାଳନା କମିଟିର ବିନାନୁମତିରେ ତାଲା ଭାଙ୍ଗି ନଥିଲେ ଯାଂଚକାରୀ । ପରେ ତାଲା ନ ଭାଙ୍ଗି ବାହାରୁ ଭିତର ଭଣ୍ଡାରର ସ୍ଥିତି ପରଖିଥିଲେ ଯାଂଚକାରୀ । ପରେ ଏହା ଜଣା ପଡିବା ପରେ ବୈଠକରେ ଆଲୋଚନା ହୋଇଥିଲା । ଭୁଲ ଚାବି ଦିଆଯାଇଥିବା ନେଇ ବୈଠକରେ ତନାଘନା ହୋଇଥିଲା । ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଚାବି ହଜିବା ଶୁଣି ଆଚମ୍ବିତ ହୋଇଥିଲେ ଗଜପତି ।