ସରଳ ହେବ ରାଜସ୍ୱ ଆଇନ : ଏକକ ରାଜସ୍ୱ କୋଡ୍ ପ୍ରଣୟନ କରାଯିବ

0
511
name plate in odia
name plate in odia
ଭୁବନେଶ୍ୱର :  ରାଜସ୍ୱ ଆଇନକୁ ସରଳ କରାଯାଇ ଏକକ ରାଜସ୍ୱ କୋଡ୍ ପ୍ରଣୟନ କରାଯିବ ।  ସରକାରୀ ଜମି ବେଆଇନ ଭାବେ ଦଖଲ କରିଥିବା ବ୍ୟକ୍ତିଙ୍କ ନାମରେ ଅବରୋଧ ହୋଇଥିବା ଜମି ରେକର୍ଡ କରାଯାଇ ପାରିବ ନାହିଁ ।

 ଓଡ଼ିଶା ଭୂମି ଓ ରାଜସ୍ୱ କୋଡର ଚିଠା ସଂସ୍କରଣ ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ ଶନିବାର ସଚିବାଳୟଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ଭୂମି ଓ ରାଜସ୍ୱ କୋଡ ପ୍ରଣୟନ ହେଲେ ଅନେକ ରାଜସ୍ୱ ଆଇନର ସରଳୀକରଣ ହୋଇପାରିବ ଓ ଜନସାଧାରଣ ଏହା ଦ୍ୱାରା ବହୁଭାବରେ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।

ରାଜସ୍ୱ ଆଇନକୁ ସରଳ କରାଯାଇ ଏକକ ରାଜସ୍ୱ କୋଡ୍ ପ୍ରଣୟନ ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଓଡ଼ିଶା ଗେଜେଟରେ ଇସ୍ତାହାର ପ୍ରକାଶ ପାଇଥିଲା ।

ରାଜସ୍ୱ କୋଡ୍ ପ୍ରସ୍ତୁତି ପାଇଁ ଏକ ବାର ଜଣିଆ କମିଟି ଗଠନ କରାଯାଇଛି । ଏଥିରେ ସାତ ଜଣ ଅଭିଜ୍ଞ ବେସରକାରୀ ସଦସ୍ୟ ଥିବାବେଳେ ରାଜସ୍ୱ ପରିଷଦ ସଭ୍ୟ ଏହାର ଅଧ୍ୟକ୍ଷ ଅଛନ୍ତି । ଏହି କମିଟିକୁ ଇଂଟରନେଟ୍,କମ୍ପ୍ୟୁଟର ପ୍ରଚଳନ ତଥା ଅନ୍ୟାନ୍ୟ ଅ।ଧୁନିକ ଯୁଗର ଜ୍ଞାନକୌଶଳର ସାହାଯ୍ୟ ନେଇ ରାଜସ୍ୱ କୋଡକୁ ଅଧିକ ଉପାଦେୟ ଏବଂ ସମୟୋପଯୋଗୀ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଓଡ଼ିଶା ସର୍ଭେ ଓ ବନ୍ଦୋବସ୍ତ ଆଇନ୧୯୫୮, ଓଡ଼ିଶା ସ୍ୱତନ୍ତ୍ର ସର୍ଭେ ଓ ବନ୍ଦୋବସ୍ତ ଆଇନ-୨୦୧୨, ଓଡ଼ିଶା ଜମି ବନ୍ଦୋବସ୍ତ ଆଇନ-୧୯୬୨, ଓଡ଼ିଶା ଜମି ଅବରୋଧ ଆଇନ-୧୯୭୨, ଓଡ଼ିଶା ଚକବନ୍ଦୀ ଆଇନ-୧୯୭୨ ଏବଂ ଓଡ଼ିଶା ଜମିଦାରୀ ଉଚ୍ଛେଦ ଆଇନ-୧୯୫୧ର ପୁଙ୍ଖାନୁପୁଙ୍ଖ ଅନୁଶୀଳନ କରି କମିଟି ଏକ ଓଡ଼ିଶା ଭୂମି ଓ ରାଜସ୍ୱ ଚିଠା ସଂସ୍କରଣ ପ୍ରସ୍ତୁତ କରିଛି । ଏହି ସାତଟି ଆଇନରେ ୨୯୯ଟି ଧାରା ରହିଥିବାବେଳେ ଚିଠା କୋଡରେ ମାତ୍ର ୧୦୭ଟି ଧାରା ରଖାଯାଇଛି ।

ଚିଠା ରାଜସ୍ୱ କୋଡରେ “ଷ୍ଟାଣ୍ଡାର୍ଡ ଏକର’ ଉଚ୍ଛେଦ କରାଯାଇ “ଏକର’ ବ୍ୟବହାର ହୋଇଥିବାବେଳେ ବିଭିନ୍ନ ଧାରାର ସରଳୀକରଣ କରାଯାଇଛି ଏବଂ ଚକବନ୍ଦୀକୁ “ଇଚ୍ଛାଧୀନ’ କରିବା ପାଇଁ ପ୍ରସ୍ତାବ ରହିଛି । ଚିଠା ପ୍ରସ୍ତାବରେ ନଜୁଲ୍, ଗ୍ରାମକଣ୍ଠ ପରମବୋକ, ଖାସମାହାଲ୍ ଏବଂ ବେବନ୍ଦୋବସ୍ତ ରେକର୍ଡ ହୋଇଥିବା ଜମି ବିଷୟରେ ଉଲ୍ଲେଖ ନଥିବାରୁ ସରକାର ଏ ବାବଦରେ ବିଶେଷ ଧ୍ୟାନ ଦେଇ ଏକ ନିର୍ଦ୍ଧାରିତ ଅବଧି ମଧ୍ୟରେ ଉପରୋକ୍ତ କିସମ ଜମିର ବନ୍ଦୋବସ୍ତ କରିବେ ବୋଲି ବୈଠକ ସୂତ୍ରରୁ ପ୍ରକାଶ ।

ଚିଠା କୋଡରେ ଭୁସଂସ୍କାର ଆଇନରେ ଥିବା “ରୟତ’ ଓ “ଟେନାଂଟ’ ଶବ୍ଦ ବ୍ୟବହାର ପରିବେର୍ତେ “ଲ୍ୟାଣ୍ଡ ହୋଲଡର’ ଶବ୍ଦର ବ୍ୟବହାର କରାଯାଇଛି । ଏହା ବାଦ୍ ସର୍ଭେରେ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ଜମି ପାସବୁକ୍ ପ୍ରସ୍ତୁତି ଏବଂ ଜମିର ବେଂଚମାର୍କ ମୂଲ୍ୟ ଅନୁସାରେ ଖଜଣା ନିର୍ଦ୍ଧାରଣ ଉପରେ ଗୁରୁତ୍ୱାରୋପ କରାଯାଇଛି ।

ତିରିଶ ବର୍ଷ ଧରି ସରକାରୀ ଜମି ବେଆଇନ ଭାବେ ଦଖଲ କରିଥିବା ବ୍ୟକ୍ତିଙ୍କ ନାମରେ ଅବରୋଧ ହୋଇଥିବା ଜମି ରେକର୍ଡ କରାଯାଇ ପାରିବ ନାହିଁ ବୋଲି ଚିଠା କୋଡରେ ଉଲ୍ଲେଖ ରହିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୱେବସାଇଟରେ ଏହି ଚିଠା କୋଡ୍ ଉପଲବ୍ଧ ପରେ ଜନସାଧାରଣ ତଥା ସମସ୍ତ ବର୍ଗର ଲୋକମାନଙ୍କଠାରୁ ମତାମତ ସଂଗ୍ରହ କରାଯିବ । ପରେ ତାହାକୁ ସମୀକ୍ଷା କରି ଚିଠା ପ୍ରସ୍ତାବରେ ଆବଶ୍ୟକ ସଂଶୋଧନ କରାଯାଇ ଆଇନ ପ୍ରଣୟନ ପାଇଁ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି କହିଛନ୍ତି ।

ଏହି ବୈଠକରେ ରାଜସ୍ୱ ପରିଷଦର ସଭ୍ୟ ତଥା କମିଟି ଅଧ୍ୟକ୍ଷ ଶ୍ରୀ ଜି.ଭି.ଜି ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଡ. ଚନ୍ଦ୍ରଶେଖର କୁମାର, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶଶିକାନ୍ତ ମିଶ୍ରଙ୍କ ସମେତ କେନ୍ଦ୍ରାଂଚଳ, ଉତରାଂଚଳ ଓ ଦକ୍ଷିଣାଂଚଳ ରାଜସ୍ୱ କମିଶନର ଓ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।