ଟମ୍ପା : ମଙ୍ଗଳ ଗ୍ରହରେ ମଧ୍ୟ ଭୀଷଣ ଧୂଳି ଝଡ଼ । ପ୍ରଭାବ ଦେଖିବାକୁ ମିଳିଛି। ଠପ୍ ହୋଇ ଯାଇଛି ରୋବର । ଧୂଳି ଝଡ଼ ଶେଷ ପରେ ଯାଇ ଏହି ଯାନର ସ୍ଥିତି ବିଷୟରେ ଜାଣିବାକୁ ମିଳିବ।
ମଙ୍ଗଳ ଗ୍ରହରେ ମଧ୍ୟ ଭୀଷଣ ଧୂଳି ଝଡ଼ ପ୍ରଭାବ ଦେଖିବାକୁ ମିଳିଛି। ଏହାରି ପ୍ରଭାବରେ ନାସାର ଅପରଚ୍ୟୁନିଟି ରୋବର ଠପ୍ ହୋଇ ଯାଇଛି। ଆମେରିକା ମହାକାଶ ଗବେଷଣାକାରୀ ସଂସ୍ଥା ନାସା କହିଛି ଯେ ଏହି ଧୂଳି ଝଡ଼ କାରଣରୁ ଏହି ମାନବବିହୀନ ଯାନ ସଟଡାଉନ ମୋଡକୁ ଚାଲି ଯାଇଛି ଏବଂ ଏହାର ପୁରା ସିଷ୍ଟମ ବନ୍ଦ ହୋଇଯାଇଛି। ଏହି କାରଣରୁ ଏହି ମାନବବିହୀନ ଯାନର ଅସ୍ଥିତ୍ଵକୁ ନେଇ ଚିନ୍ତା ବଢି ଯାଇଛି।
ନାସା କହିଛି ଯେ ଅଚାନକ ଧୂଳି ଝଡ଼ ପ୍ରବାହିତ ହେବାରୁ ଲାଲ ଗ୍ରହରେ ସୂର୍ୟ୍ୟକିରଣ ପଡିପାରିନଥିଲା। ପ୍ରାୟ ୧.୪ କୋଟି ବର୍ଗ ମାଇଲରେ ଏହି ଝଡ଼ ବ୍ୟାପି ଯାଇଥିଲା। ନାସାର ଜଣେ ବୈଜ୍ଞାନିକ କହିଛନ୍ତି ଯେ ଅପରଚ୍ୟୁନିଟି ମାନବବିହୀନ ଯାନକୁ ମଙ୍ଗଳଗ୍ରହର ପରସିଭରେନ୍ସ ଭ୍ୟାଲି ନାମକ ଜାଗାରେ ଦେଖିବାକୁ ମିଳିଛି। ଆମେ ଧୂଳି ଝଡ଼ ଶେଷ ହେବାକୁ ଅପେକ୍ଷା କରିଛୁ। ଏହା ପରେ ଯାଇ ଏହି ଯାନର ସ୍ଥିତି ବିଷୟରେ ଜାଣିବାକୁ ମିଳିବ।
ସେ କହିଛନ୍ତି ଯେ ଏହି ଯାନକୁ ନେଇ ଆମେ ଚିନ୍ତିତ ମାତ୍ର ଆଶା କରୁଛୁ ଯେ ଧୂଳି ଝଡ଼ ଶେଷ ହୋଇଯିବ ଏବଂ ଏହି ଯାନ ସହ ଯୋଗାଯୋଗ ସ୍ଥାପନ ହୋଇ ପାରିବ। ସର୍ବ ପ୍ରଥମେ ମେ ୩୦ରେ ଏହି ଧୂଳି ଝଡ଼ ବିଷୟରେ ଜଣା ପଡିଥିଲା ଏବଂ ନିକଟରେ ଏହା ଭୀଷଣ ହୋଇ ଚାଲିଥିଲା। ରୋବୋଟିକ୍ ଯାନଠୁ ଶେଷ ଥର ଜୁନ ୧୦ରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ ପାଇଁ ଅପରଚ୍ୟୁନିଟି ଓ ସ୍ପିରିଟ ନାମକ ଦୁଇଟି ରୋବୋଟିକ୍ ଯାନକୁ ୨୦୦୩ରେ ପ୍ରକ୍ଷେପିତ କରାଯାଇଥିଲା। ଗୋଟିଏ ବର୍ଷର ଯାତ୍ରା ପରେ ଏହି ଯାନ ମଙ୍ଗଳର ଧରିତ୍ରୀ ପୃଷ୍ଠରେ ପହଞ୍ଚିଥିଲା।