ଟ୍ୱିନ୍‌ ସିଟି ପୋଲିସ କମିଶନର ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି

0
333
satyjit mohanty took charge of police commissioner
satyjit mohanty took charge of police commissioner
ଭୁବନେଶ୍ୱର : ଟ୍ୱିନ୍‌ ସିଟି ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି  ଆଇପିଏସ୍‌ ସତ୍ୟଜିତ ମହାନ୍ତି  । ପୂର୍ବତନ ପୋଲିସ କମିଶନର ୱାଇ. ବି. ଖୁରାନିଆ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ।

 କଟକ ଓ ଭୁବନେଶ୍ୱରର ଆଇନ ଶୃଙ୍ଖଳା ରକ୍ଷା କରିବାକୁ ମଙ୍ଗ ଧରିଛନ୍ତି ୧୯୮୮ ବ୍ୟାଚର ଆଇପିଏସ୍‌ ଅଫିସର ସତ୍ୟଜିତ ମହାନ୍ତି । ଆଜି ଟ୍ୱିନ୍‌ ସିଟି କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ପୋଲିସ କମିଶନର ୱାଇ. ବି. ଖୁରାନିଆ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ସତ୍ୟଜିତ ମହାନ୍ତି ଟ୍ୱିନ୍‌ ସିଟିର ଷଷ୍ଠ କମିଶନର ଭାବରେ ନିଯୁକ୍ତି ପାଇଛନ୍ତି । ଆଜି ତାଙ୍କୁ ଗାର୍ଡ ଅଫ ଅନର୍‌ ଦିଆଯିବା ପରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ପୋଲିସ ସେବା ଓ ବ୍ୟବସ୍ଥାକୁ ଉଚ୍ଚମାନର କରିବାକୁ ଆହ୍ୱାନ ଦେବା ସହିତ ବିଶ୍ୱକପ୍‌ ହକିରେ ସୁରକ୍ଷା ବ୍ୟବସ୍ଥା ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଦାୟିତ୍ୱ ନେବା ପରେ ନୂତନ ପୋଲିସ କମିଶନର୍‌ ସତ୍ୟଜିତ ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ ଆମେ ପୋଲିସ ବ୍ୟବସ୍ଥାକୁ ଏକ ଉଚ୍ଚସ୍ତରକୁ ନେବାକୁ ଚେଷ୍ଟା କରିବୁ । ଯାହା ଦ୍ୱାରା ଜନସାଧାରଣ ଲୋକମାନଙ୍କର ଆମ ପ୍ରତି ଆସ୍ଥା ବଢ଼ିବ ଓ ଆମେ ତାଙ୍କର ଆସ୍ଥାଭାଜନ ହୋଇପାରିବୁ । ସେହିପରି ପୁରୁଷ ବିଶ୍ୱ କପ୍ ହକିରେ ଆସୁଥିବା ଖେଳାଳି ଓ ଦର୍ଶକମାନେ କିଭଳି ଏକ ଭଲ ଅନୁଭୂତି ନେଇକି ଯିବେ ସେଥିପ୍ରତି ଧ୍ୟାନ ଦେବୁ ।

୧୯୮୮ ବ୍ୟାଚର ଆଇପିଏସ୍‌ ଅଧିକାରୀ ସତ୍ୟଜିତ ମହାନ୍ତି ପୂର୍ବରୁ ବହୁ ଗୁରୁ ଦାୟିତ୍ୱରେ ରହି ସଫଳତାର ସହିତ ନିଜର କାର୍ଯ୍ୟଭାର ତୁଲାଇଛନ୍ତି । ପ୍ରଥମେ ସେ କୋରାପୁଟ ଜୟପୁରରେ ଏଏସ୍‌ପି ଭାବରେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ । ଏହା ପରେ ସେ ପୁରୀର ଅତିରିକ୍ତ ଏସ୍‌ପି, କଟକ, ରାଉରକେଲା ଓ ବାଲେଶ୍ୱରରେ ଏସ୍‌ପି ଭାବରେ କାର୍ୟ୍ୟକରିଥିବା ବେଳେ କେନ୍ଦ୍ରାଂଚଳ, ପଶ୍ଚିମାଞ୍ଚଳ ଓ ଉତ୍ତରାଞ୍ଚଳ ଡିଆଇଜି ରହି ସାରିଛନ୍ତି ।

ସେହିପରି ସେ ଅତିରିକ୍ତ ଡିଜି ଦାୟିତ୍ୱରେ ମଧ୍ୟ ରହି ସାରିଛନ୍ତି । ଏହା ସହିତ ସେ ଭିଜିଲାନ୍ସ ବିଭାଗର ଏସ୍‌ପି  ଓ ପରିବହନ ବିଭାଗର ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ପୋଲିସ ସେବାରେ ଉଲ୍ଲେଖନୀୟ ପାଇଁ ତାଙ୍କୁ ୨୦୦୪ରେ ପୋଲିସ ପଦକ ଓ ୨୦୧୨ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯାଇଛି । ଏହା ସହିତ ସତ୍ୟଜିତ ମହାନ୍ତି ଜଣେ ଭଲ ଟେନିସ୍‌ ଖେଳାଳି । ବର୍ତମାନ ସେ ରାଜ୍ୟ ଟେନିସ ଆସୋସିଏସନର ଉପ ସଭାପତି ଭାବରେ କାର୍ୟ୍ୟଭାର ତୁଲାଉଛନ୍ତି ।

ଅନ୍ୟପକ୍ଷରେ ପୋଲିସ କମିଶନର ଦାୟିତ୍ୱରୁ ବିଦାୟ ନେବା ପରେ ୧୯୯୦ ବ୍ୟାଚର ଆଇପିଏସ ୱାଇ.ବି. ଖୁରାନିଆଙ୍କୁ ଅତିରିକ୍ତ ଡିଜି ଦାୟିତ୍ୱ ମିଳିଥିବା ସୂଚନା ମିଳିଛି ।