ଓଡ଼ିଶାର ୩ଟି ରୁଟ୍ରେ ସି-ପ୍ଲେନ୍ ଚଲାଇବାକୁ ଯୋଜନା ରଖିଛି ବିମାନସେବା ପ୍ରଦାନକାରୀ କମ୍ପାନୀ ସ୍ପାଇସ୍ ଜେଟ୍ । ଏ ନେଇ ଆଜି ବିଭାଗୀୟ କର୍ତ୍ତୃପକ୍ଷ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ଓଡ଼ିଶାର ଚିଲିକା, ଭିତରକନିକା ଓ ହୀରାକୁଦକୁ ସି-ପ୍ଲେନ୍ ସେବା ଆରମ୍ଭ କରିବା ନେଇ ଚିଠିରେ ପ୍ରସ୍ତାବ ଦିଆଯାଇଛି।
ଭୁବନେଶ୍ୱରରୁ ପୁରୀ ଭାୟା ଚିଲିକା, ଭୁବନେଶ୍ୱରରୁ ଚାନ୍ଦିପୁର ଭାୟା ଭିତରକନିକା ଓ ଭୁବନେଶ୍ୱରରୁ ହୀରାକୁଦ ଡ୍ୟାମ ମଧ୍ୟରେ ସି-ପ୍ଲେନ ଚାଲିବା ନେଇ ଯୋଜନା ଚାଲିଛି । ତେବେ ଏହି ସବୁ ସ୍ଥାନରେ ସି-ପ୍ଲେନ ଚଳାଚଳ କରିବା ସମ୍ବବପର ନା ନାହିଁ ସେ ନେଇ କମ୍ପାନୀ ପ୍ରସ୍ତୁତି ଚଲାଇଥିବା ଚିଠିରେ ଉଲ୍ଲେଖ ରହିଛି। ଏହି ତିନୋଟି ପ୍ରସିଦ୍ଧ ସ୍ଥାନର ପର୍ଯ୍ୟଟନ କ୍ଷମତା ଓ ଆଞ୍ଚଳିକ ଆବଶ୍ୟକତା ଦେଖି କମ୍ପାନୀ ନିଜର ଡିପିଆର ମଧ୍ୟ ପ୍ରସ୍ତୁତ କରୁଛି।
ତେବେ ଏହି ପ୍ରସ୍ତାବ ମିଳିବା ପରେ ସ୍ପାଇସ୍ ଜେଟ୍ ସହ ଏନେଇ ଆଲୋଚନା ପାଇଁ ପର୍ଯ୍ୟଟନ ବିଭାଗକୁ ସାଧାରଣ ପ୍ରଶାସନ ବିଭାଗ ଚିଠି ଲେଖିଛି। ତେବେ ପ୍ରସ୍ତାବ ଦିଆଯାଇଥିବା ସ୍ଥାନମାନଙ୍କରେ ସି-ପ୍ଲେନ୍ ସେବା ଆରମ୍ଭ କରିବେ କେତେଦୂର ଠିକ୍ ସେ ନେଇ କମ୍ପାନୀ ଓ ଭାରତୀୟ ବିମାନ ପ୍ରାଧିକରଣ ସହ ଆଲୋଚନା କରିବାକୁ ପର୍ଯ୍ୟଟନ ବିଭାଗକୁ କୁହାଯାଇଛି।