ବନ୍ୟା ଆଶଙ୍କା : ସତର୍କ ରହିବାକୁ ୬ଟି ଜିଲ୍ଲାକୁ ନିର୍ଦ୍ଦେଶ

0
374
flood in mahanadi
flood in mahanadi
ଭୁବନେଶ୍ୱର :  ହୀରାକୁଦର ବନ୍ୟାଜଳ ଛଡ଼ାଯିବା ପରେ ରାଜ୍ୟରେ କ୍ଷୁଦ୍ର ତଥା ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହେବା ସମ୍ଭାବନା ରହିଛି ବୋଲି ଏସ.ଆର.ସି ବିଷ୍ଣୁପଦ ସେଠୀ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଏସ.ଆର.ସି ୬ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ  କୁହାଯାଇଛି ।

ହୀରାକୁଦର ଉପର ଏବଂ ତଳ ମୁଣ୍ଡରେ ବର୍ଷା ଲାଗିରହିବା ଫଳରେ ହୀରାକୁଦର ଜଳପତନ ବୃଦ୍ଧି ପାଇବାରେ ଲାଗିଛି । ହୀରାକୁଦର ବନ୍ୟାଜଳ ଛଡ଼ାଯିବା ପରେ ରାଜ୍ୟରେ କ୍ଷୁଦ୍ର ତଥା ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହେବା ସମ୍ଭାବନା ରହିଛି ବୋଲି ଏସ.ଆର.ସି ବିଷ୍ଣୁପଦ ସେଠୀ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଆଜି ସନ୍ଧ୍ୟାରେ ଖଇରାମାଳଠାରେ ୬.୮ ଲକ୍ଷ ଘନଫୁଟ ପାଣି ପ୍ରବାହିତ ହେଉଥିଲା ବେଳେ ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ମୁଣ୍ଡୁଳିରେ ସାଢ଼େ ସାତ ଲକ୍ଷରୁ ଆଠ ଲକ୍ଷ ଘନ ଫୁଟ ପାଣି ପ୍ରବାହିତ ହେବ । ଏହା ଦ୍ୱାରା ମହାନଦୀ ଏବଂ ଏହାରଶାଖା ନଦୀ ମାନଙ୍କରେ ଜଳସ୍ତର ବୃଦ୍ଧି ପାଇବ । ବୁର୍ଲାରେ ସର୍ବାଧିକ ୬୨୨ ମି.ମି. ବର୍ଷା ହୋଇଥିଲା ବେଳେ ସମ୍ବଲପୁରରେ ୪୭୨ ମି.ମି. ସର୍ବକାଳୀନ ରେକର୍ଡ଼ ବର୍ଷା ହୋଇଛି । ୧୯୮୨ ମସିହାରେ ୫୮୧.୯ ମି.ମି. ବର୍ଷା ହୋଇଥିଲା ।

ଅନ୍ୟପକ୍ଷରେ ଏସ.ଆର.ସି ୬ ଜିଲ୍ଲା ଯାଜପୁର, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧାର ଜିଲ୍ଲାପାଳ ମାନଙ୍କୁ ଏହି ସମ୍ଭାବ୍ୟ ବନ୍ୟା ସମ୍ପର୍କରେ ସୂଚନା ଏବଂ ତଥ୍ୟ ସଂଗ୍ରହ କରିବା ପାଇଁ ଦିନ ରାତି ୨୪ଘଂଟା କଂଟ୍ରୋଲ ରୁମକୁ କାର୍ଯ୍ୟକ୍ଷମ କରିବା, ସାଟେଲାଇଟ ଫୋନ, ଗାଡ଼ି, ବ୍ୟାଟେରୀ, ଜେନେରେଟର, ଟାୱାର ଲାଇଟ କୁ ପ୍ରସ୍ତୁତ ରଖିବା, ତଳିଆ ଅଂଚଳ ଏବଂ ଜଳବନ୍ଦୀ ଅଂଳଚରେ ଲୋକମାନଙ୍କୁ ସ୍ଥାନାନ୍ତର କରିବା, ଉଦ୍ଧାର କାର୍ଯ୍ୟ ପାଇଁ ଦେଶୀ ଡଙ୍ଗା ପାୱାର ବୋଟ ମହଜୁଦ ରଖିବା, ବହୁମୁଖୀ ବନ୍ୟା ଏବଂ ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକୁ କ୍ଷେତ୍ରାଧିକାରୀ ମାନଙ୍କୁ ପଠାଇ ତଦାରଖ କରିବାପାଇଁ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଆର.ଟି.ଓ ଓ ଏମ.ଭି.ଆଇ ମାନଙ୍କୁ ବର୍ଷା ଜଳ ବା ବନ୍ୟା ଜଳ ପ୍ରବାହିତ ହେଉଥିବା ସ୍ଥାନରେ ନ ଛାଡ଼ିବା ପାଇଁ କୁହାଯାଇଛି । ମହାନଦୀ ଏବଂ ଶାଖା ନଦୀ ମାନଙ୍କର ନଦୀ ବନ୍ଧ ଏବଂ କେନାଲ ବନ୍ଧରେ ଘାଇ ସୃଷ୍ଟି ହେବାର ସମ୍ଭାବନା ଥିବା ଦୁର୍ବଳ ସ୍ଥାନକୁ ନଜର ରଖିବା ପାଇଁ କ୍ରମାଗତ ପେଟ୍ରୋଲିଂ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି ।

ରାଜ୍ୟରେ ଲଘୁଚାପ ଜନିତ ବର୍ଷା ହ୍ରାସ ପାଇଥିଲେ ହେଁ ପରିସ୍ଥିତି କମିନାହିଁ । ବରଂ କେତେକ ସ୍ଥାନରେ ଏହି ସ୍ଥିତି ଗମ୍ଭୀର ହୋଇଥିବା ପରିଲକ୍ଷିତ ହୋଇଛି । ଏବେ ବି ବହୁ ଜିଲ୍ଲାର ତଳିଆ ଅଂଚଳରେ ପାଣି ଜମି ରହିଛି । ସାଧାରଣ ଲୋକେ ହଟହଟାର ସମ୍ମୁଖୀନ ହେଉଛନ୍ତି । ଏପରିକି ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଜଳାର୍ଣ୍ଣବ ରହିଛି । ଏନକ୍ଲୋଜରମାନେ ଜୀବଜନ୍ତୁମାନେ ଅନୁରୂପ ଭାବେ ବହୁ କଷ୍ଟ ପାଉଛନ୍ତି । ତେବେ ପମ୍ପ ଦ୍ୱାରା ପାଣି ନିଷ୍କାସନ କରାଯାଉଛି । ସେଠାରେ ଥିବା ବୋଟିଂ ବ୍ୟବସ୍ଥାକୁ ବର୍ତମାନ ପାଇଁ ଅଚଳ କରାଯାଇଛି । ଯାଜପୁର, ଅନୁଗୋଳ, କେନ୍ଦୁଝର, କଳାହାଣ୍ଡି, ସୋର, ଖୋର୍ଦ୍ଧା ସହର ଗୁଡ଼ିଗ ଜଳବନ୍ଦୀ ସହରରେ ପରିଣତ ହୋଇଛି । ବନ୍ୟାର ସ୍ଥିତି ସୁଧୁରିବାରେ ଲାଗିଛି । ପୂର୍ବ ଓଡ଼ିଶା ଭଳି ପଶ୍ଚିମ ଓଡ଼ିଶାରେ ଜଳବନ୍ଦୀ ସ୍ଥିତି ଉଦବେଗ ଜନକ ଅବସ୍ଥାରେ ରହିଛି ।