କଟକ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଗସ୍ତକୁ ଦୃଷ୍ଟିରେ ରଖି ସ୍ପେଶାଲ ପ୍ରୋଟେକ୍ସନ ଗ୍ରପ (ଏସପିଜି) ପକ୍ଷରୁ ଜନସମାବେଶ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ଏସପିଜିର ୭ ଜଣିଆ ଟିମ୍ ବାଲିଯାତ୍ରା ପଡିଆ ଅନୁଧ୍ୟାନ କରିଛନ୍ତି।
ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡିଶା ଗସ୍ତରେ ଆସି କଟକ ବାଲିଯାତ୍ରା ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ବିଶାଳ ଜନସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସ୍ପେଶାଲ ପ୍ରୋଟେକ୍ସନ ଗ୍ରପ (ଏସପିଜି) ପକ୍ଷରୁ ଜନସମାବେଶ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ବୁଧବାର ଏସପିଜିର ୭ ଜଣିଆ ଟିମ୍ ବାଲିଯାତ୍ରା ପଡିଆ ଅନୁଧ୍ୟାନ କରିଛନ୍ତି। ଗତକାଲି ମଧ୍ୟ ପୋଲିସ୍ କମିଶନର ୱାଇ ବି ଖୁରାନିଆ ଓ କଟକ ଡିସିପି ଅଖିଳେଶ୍ୱର ସିଂହ ସେଠାକାର ସ୍ଥିତି ଓ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ସହ ସେହି ଦିନ ଟ୍ରାଫିକ୍ ବ୍ୟବସ୍ଥା ପରିଚାଳନା ନେଇ ଆଲୋଚନା କରିଥିଲେ। ପ୍ରକାଶ ଥାଉ କି, ଶନିବାର ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି ଅପରାହ୍ଣ ୩ଟା ୨୫ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ଆକାଶମାର୍ଗରେ ସ୍ୱତନ୍ତ୍ର ହେଲିକପ୍ଟର ସାହାଯ୍ୟରେ କଟକ ଅଭିମୁଖେ ଯାତ୍ରା କରିବେ। କଟକର ନରାଜ ହେଲିପ୍ୟାଡରେ ଓହ୍ଲାଇ ବାଲିଯାତ୍ରା ପଡିଆ ଯିବେ । ସେଠାରେ ବିଜେପି ପକ୍ଷରୁ ଆୟୋଜିତ ବିଶାଳ ଜନସମାବେଶରେ ମୋଦି ଯୋଗ ଦେବେ। ଏହି କାର୍ଯ୍ୟକ୍ରମ ପରେ ପୁନଃ ଆକାଶମାର୍ଗରେ ଭୁବନେଶ୍ୱର ଆସି ଅପରାହ୍ଣ ୫ଟା ୫୫ ସମୟରେ ପ୍ରଧାନ ମନ୍ତ୍ରୀ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଗସ୍ତର ସମସ୍ତ ସୁରକ୍ଷା ବ୍ୟବସ୍ଥାର ତଦାରଖ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା କରିବେ ।