ଶ୍ରୀମନ୍ଦିର ଚାବି ହଜିବା ଘଟଣା: ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ, ଆଗଷ୍ଟ ୭ରେ ପରବର୍ତ୍ତୀ ଶୁଣାଣୀ

0
344
justice raghubir das commission started inquiary
justice raghubir das commission started inquiary
ପୁରୀ :  ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ଆଜି ଜଷ୍ଟିସ ରଘୁବୀର ଦାଶ କମିଶନଙ୍କ ପ୍ରଥମ ବୈଠକ ବସିଥିଲା । ତୁରନ୍ତ ସତ୍ୟପାଠ ଦାଖଲ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ସତ୍ୟପାଠ ମିଳିବା ପରେ ଆଗଷ୍ଟ ୭ରେ ପରବର୍ତ୍ତୀ ଶୁଣାଣୀ କରାଯିବ ।

ବହୁ ଚର୍ଚ୍ଚିତ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ଆଜି ପ୍ରଥମ ଥର ପାଇଁ ବସିଥିବା ଜଷ୍ଟିସ ରଘୁବୀର ଦାଶ କମିଶନରେ କିଛି ବି ସୁଫଳ ମିଳି ପାରି ନାହିଁ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କମିଶନରେ ନିକଟରେ ଆଜି କିଛି ବି ସତ୍ୟପାଠ ଦାଖଲ କରାଯାଇ ନାହିଁ । ତେଣୁ ତୁରନ୍ତ ସତ୍ୟପାଠ ଦାଖଲ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ସତ୍ୟପାଠ ମିଳିବା ପରେ ଆଗଷ୍ଟ ୭ରେ ପରବର୍ତ୍ତୀ ଶୁଣାଣୀ କରାଯିବ ବୋଲି ଜଷ୍ଟିସ ରଘୁବୀର ଦାଶ ସୂଚନା ଦେଇଛନ୍ତି ।

ଆଜି ପୁରୀ ଜିଲ୍ଲା ସର୍କିଟ୍‌ ହାଉସରେ ଜଷ୍ଟିସ ରଘୁବୀର ଦାଶ କମିଶନଙ୍କ ପ୍ରଥମ ବୈଠକ ବସିଥିଲା । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ, ଏସ୍‌ପି ଓ ଟ୍ରେଜେରି ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଜଷ୍ଟିସ୍‌ ଶ୍ରୀ ଦାଶ ଚାବି ହଜିବା ଘଟଣାର ଶୁଣାଣୀ କରିଥିଲେ । ତେବେ ପୂର୍ବରୁ ଏ ନେଇ ୪ଟି ସତ୍ୟପାଠ ଦାଖଲ କରାଯାଇଛି ।

କିନ୍ତୁ ତାହା କୌଣସି ତଥ୍ୟ ସମ୍ବଳିତ ନୁହେଁ ବୋଲି ଶ୍ରୀ ଦାଶ କହିଛନ୍ତି । ଏହା ସହିତ ଆଜି ସରକାରଙ୍କ ପକ୍ଷରୁ କୌଣସି ସତ୍ୟପାଠ ଦାଖଲ କରାଯାଇ ନାହିଁ । ଯାହା ଫଳରେ ଶୁଣାଣୀ ଆଗକୁ ବଢ଼ି ପାରି ନାହିଁ । ପ୍ରଥମେ ସତ୍ୟପାଠ ଦାଖଲ କରିବାକୁ ତଦନ୍ତ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ସତ୍ୟପାଠ ଦାଖଲ କରିବା ପରେ ଶୁଣାଣୀ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଷ୍ଟିସ ଶ୍ରୀ ଦାଶ କହିଛନ୍ତି ।