ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା

0
298
cm naveen patnaik
cm naveen patnaik
ଭୁବନେଶ୍ୱର : ରାଜ୍ୟ ବାରମ୍ବାର ଅନୁରୋଧ ସତ୍ୱେ କେନ୍ଦ୍ର ବର୍ଦ୍ଧିତ ଜନ ସଂଖ୍ୟାକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରି ନାହାଁନ୍ତି । ସେଥିପାଇଁ ରାଜ୍ୟ ସରକାର ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ  ଆରମ୍ଭ କରିବେ ।

ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାର ଆରମ୍ଭ କରିବେ ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ରୁ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯିବ । ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟ ସରକାର ଉପଯୁକ୍ତ ହିତାଧିକାରୀଙ୍କୁ ସାମିଲ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ଉଭୟ ବିରୋଧୀ ବିଜେପି କଂଗ୍ରେସ ତୀବ୍ର ସମାଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ଆରମ୍ଭ କରିଥିବା ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ଲୋକଙ୍କୁ ସାମିଲ କରାଯାଇଥିଲା । ମାତ୍ର ୨୦୧୧ ଜନଗଣନାରେ ରାଜ୍ୟରେ ୧୪ ପ୍ରତିଶତ ଜନସଂଖ୍ୟା ବୃଦ୍ଧି ପାଇଛି । ମାତ୍ର ରାଜ୍ୟ ବାରମ୍ବାର ଅନୁରୋଧ ସତ୍ୱେ କେନ୍ଦ୍ର ବର୍ଦ୍ଧିତ ଜନ ସଂଖ୍ୟାକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରି ନାହାଁନ୍ତି । ସେଥିପାଇଁ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ ବଳରେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ କରିବ । ପ୍ରାୟ ୩୪ ଲକ୍ଷ ୪୪ ହଜାର ହିତାଧିକାରୀ ଉପକୃତ ହେବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ କାମରେ ଲୋକମାନେ ବିଶ୍ୱାସ କରନ୍ତୁ । ଲୋକଙ୍କ କଲ୍ୟାଣ କାର୍ୟ୍ୟକୁ ବିଶ୍ୱାସ କରନ୍ତୁ । ରାଜ୍ୟ ସରକାର ୨୦୦୧ରୁ ଗରିବ ଲୋକଙ୍କୁ କେଜି ୨ଟଙ୍କାରେ ଚାଉଳ ଯୋଗାଇ ଦେଇ ଆସୁଥିଲେ । ଏହାର ସଫଳତାକୁ ଲକ୍ଷ୍ୟ କରି ୨୦୧୩ରେ ଏକ ଟଙ୍କା ଚାଉଳ ଯୋଗାଇ ଦେଇ ଆସୁଛୁ । ୨୦୧୪ରେ ମୁଁ ଆପଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରିଥିବାରୁ ମୁଁ ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆପଣମାନଙ୍କ ଟଙ୍କାରେ ରାଜ୍ୟ ସରକାର ଆପଣମାନଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ବିରୋଧୀ । ରାଜନୀତି ପାଇଁ ଏହି ଚାଉଳ ବ୍ୟବସ୍ଥା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ପ୍ରଥମେ କଂଗ୍ରେସ ଏହି ଦୁଇ ଟଙ୍କିଆ ଚାଉଳ ବ୍ୟବସ୍ଥା ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ଲାଗୁ କରିଥିଲା । ବିଜୁ ବାବୁ ଆସିଲା ପରେ ଏହାକୁ ବନ୍ଦ କରି ଦେଇଥିଲେ । ପୁନର୍ବାର ୧୯୯୫ରେ ପୁଣି ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲା । ପୁଣି ଥରେ ରାଜନୀତି ପାଇଁ ନବୀନ ଏହି ଖାଦ୍ୟ ସୁରକ୍ଷା ଆଇନ ବାହାର କରିଛନ୍ତି ବୋଲି ପିସିସି ସଭାପତି କହିଛନ୍ତି ।

ଅନ୍ୟପକ୍ଷରେ ୨୦୧୪ରେ ଦେଇଥିବା ପ୍ରତିଶ୍ରୁତି ଆଜି କାହିଁକି ମନେ ପଡ଼ିଲା ବୋଲି ବିଜେପି ଉପସଭାପତି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି । କେବଳ ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏପରି କରୁଛନ୍ତି ବୋଲି କହି  ସେ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଯଦି ବିକାଶ କଥା ଚିନ୍ତା କରୁଛନ୍ତି ତେବେ ରାଜ୍ୟରେ ଏତେ ଗରିବ ଆସିଲେ କେଉଁଠୁ ବୋଲି ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।