ଦକ୍ଷିଣ ଭାରତକୁ ମୌସୁମୀ ଭିଜେଇ ଦେଇଥିବାବେଳେ ଏବେ ବି ଉତ୍ତରଭାରତ ଲୋକ ଗରମରେ ହନ୍ତସନ୍ତ ହେଉଛନ୍ତି । ଉତ୍ତରଭାରତ ଉପରୁ କାଳବୈଶାଖୀ ସଙ୍କଟ ଟଳି ନାହିଁ । ଉତ୍ତରଭାରତରେ ଏବେବି ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟ ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ରର କିଛି ଅଂଚଳ, ଗୋଆ, ତାମିଲନାଡ଼ୁ, ତେଲେଙ୍ଗାନା, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରେ ଝଡ଼ ତୋଫାନ ହେବାର ସମ୍ଭାବନା ରହିଛି । ଏହି ରାଜ୍ୟ ଗୁଡ଼ିକରେ ପ୍ରବଳ ବେଗରେ ପବନ ବହିବା ସହ ବଜ୍ରପାତ ହେବାର ମଧ୍ୟ ପୂର୍ବାନୁମାନ କରାଯାଇଛି ।
ସେହିପରି ଆଣ୍ଡାମାନ ନିକୋବର, ଆସାମ, ମେଘାଳୟ,ନାଗାଲାଣ୍ଡ. ମଣିପୁର, ମିଜୋରାମ, ତ୍ରିପୁରା, ତେଲେଙ୍ଗାନା, ଆନ୍ଧ୍ର ଓ କେରଳ ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଦକ୍ଷିଣ ଭାରତରେ ମୌସୁମୀ ପ୍ରବେଶ କରି ସାରିଥିବା ବେଳେ ବିଭିନ୍ନ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକରେ ବର୍ଷା ତାଣ୍ଡବ ରଚିଛି । ଏହା ଦ୍ୱାରା ୫ ଜଣଙ୍କର ଜୀବନ ଯାଇ ସାରିଲାଣି । ସେପଟେ ଗୋଆ ଓ ମହାରାଷ୍ଟ୍ରରେ ଖୁବ୍ ଶୀଘ୍ର ମୌସୁମୀ ପହଁଚିବାର ଆକଳନ କରାଯାଇଛି ।