ଆଜି ସୁପ୍ରିମକୋର୍ଟ୍ କେନ୍ଦ୍ର ସରକାରଙ୍କୁ ୧୦ ଦିନ ମଧ୍ୟରେ ଲୋକପାଳ ନିଯୁକ୍ତି ପ୍ରକ୍ରିୟା କେବେ ହେବ ତାହା ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ରଞ୍ଜନ ଗୋଗେଇ ଏବଂ ଆର୍ ଭାନୁମତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଲୋକପାଳ ନିଯୁକ୍ତି ପ୍ରସଙ୍ଗରେ କୋର୍ଟକୁ ସୂଚନାଦେବା ସହ ସରକାରଙ୍କୁ ସତ୍ୟପାଠ ଦାଖଲ କରିବା ପାଇଁ କହିଛନ୍ତି ।
କୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ଆଟର୍ଣ୍ଣଂ ଜେନେରାଲ କେକେ ବେଣୁଗୋପାଳଙ୍କ ଖଣ୍ଡପୀଠ ସାମ୍ନାରେ ଲୋକପାଳ ନିଯୁକ୍ତି ସମ୍ବନ୍ଧରେ ସରକାରଙ୍କ ତରଫରୁ ନିର୍ଦ୍ଦେଶନାମା ଦାଖଲ କରିଛନ୍ତି । ଏହି ମାମଲାର ପରବର୍ତୀ ଶୁଣାଣି ଆଗାମୀ ଜୁଲାଇ ୧୭ତାରିଖରେ ହେବ । ଏକ ଏନଜିଓ ତରଫରୁ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାରେ କୋର୍ଟ୍ ଆଜି ଏହାର ଶୁଣାଣି କରିଛନ୍ତି । ଗତବର୍ଷ ଏପ୍ରିଲ ମାସରେ ସୁପ୍ରିମକୋର୍ଟଙ୍କ ଆଦେଶ ସତ୍ୱେ ଲୋକପାଳ ନିଯୁକ୍ତିରେ ବିଳମ୍ବ ହୋଇଥିଲା ।
ଗତବର୍ଷ ସୁପ୍ରିମକୋର୍ଟ୍ ନିଜ ନିଷ୍ପତିରେ କହିଥିଲେ କି, ପ୍ରସ୍ତାବିତ ସଂଶୋଧନ ସଂସଦରେ ପାର୍ ହେବା ପରେ ଲୋକପାଳ ନିୟମକୁ ସ୍ଥଗିତ ରଖିବା ନ୍ୟାୟସଙ୍ଗତ ନୁହେଁ । ଅନ୍ୟପକ୍ଷରେ ବିଜେପି ଅନେକ ସମୟରେ ଦୁର୍ନୀତି ସମ୍ବନ୍ଧୀୟ ମାମଲା ଉଠାଇଥାଏ । କିନ୍ତୁ କେନ୍ଦ୍ରରେ ତାଙ୍କର ସରକାର ଥିବାବେଳେ ଲୋକପାଳ ନିଯୁକ୍ତି ପ୍ରସଙ୍ଗରେ କିଛି ସ୍ପଷ୍ଟ କରୁନାହାନ୍ତି ।
କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାଜପା ସରକାର ଗଠନ କରିବା ପରେ ପ୍ରଥମେ କୁହାଯାଇଥିଲା କି, ଲୋକପାଳ ଚୟନରେ ବିରୋଧୀ ଦଳର ନେତାଙ୍କ ଆବଶ୍ୟକତା ରହିଥାଏ । କିନ୍ତୁ ସଂସଦରେ ସେହି ପଦବୀ ଖାଲି ରହିଛି । ଯେଉଁଥିପାଇଁ ଲୋକପାଳ ନିଯୁକ୍ତିରେ ବିଳମ୍ବ ହେଉଛି ।
ସୂଚନାଯୋଗ୍ୟ କି, ୟୁପିଏ ସରକାର ବିରୋଧରେ ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନ ସମୟରେ ଆନ୍ନା ହାଜାରେ ଲୋକପାଳ ତଥା ଲୋକୟୁକ୍ତ ନିଯୁକ୍ତ କରିବା ପାଇଁ ଦାବି କରିଥିଲେ ।