ସାମ୍ନାକୁ ଆସିଲା ସର୍ଜିକାଲ୍ ଷ୍ଟ୍ରାଇକର ଭିଡିଓ

0
438
surgical strike
surgical strike
ନୂଆଦିଲ୍ଲୀ :  ୨୦୧୬ ମସିହାରେ ଭାରତୀୟ ସେନା ଦ୍ୱାରା କରାଯାଇଥିବା  ସର୍ଜିକାଲ ଷ୍ଟ୍ରାଇକର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଲଂଚ୍ ପ୍ୟାଡ୍ ଧ୍ୱଂସ ହେଉଥିବା ଦେଖିବାକୁ ମିଳିଛି ।

ଜମ୍ମୁ-କାଶ୍ମୀରର ଉରିରେ ଗତବର୍ଷ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ଦ୍ୱାରା କରାଯାଇଥିବା  ସର୍ଜିକାଲ ଷ୍ଟ୍ରାଇକର ଭିଡିଓ ପ୍ରଥମଥର ପାଇଁ ସାମ୍ନାକୁ ଆସିଛି । ୨୦୧୬ ମସିହା ସେପ୍ଟେମ୍ବର ୧୮ରେ ଉରିରେ ସେନାର ଏକ କ୍ୟାମ୍ପ ଉପରେ ଆତଙ୍କବାଦୀଙ୍କ ଆକ୍ରମଣର ୧୧ ଦିନ ପରେ ଭାରତୀୟ ଯବାନମାନେ ପାକିସ୍ତାନ ଅଧିକୃତ କାଶ୍ମୀରରେ ପଶି ସର୍ଜିକାଲ ଷ୍ଟ୍ରାଇକକୁ ସଫଳ କରିଥିଲେ । ଯାହାର ଚର୍ଚ୍ଚା ଦେଶବାହାରେ ମଧ୍ୟ ହୋଇଥିଲା ।

ଭାରତୀୟ ସେନାର ଏହି ଅତର୍କିତ ଆକ୍ରମଣରେ ଆତଙ୍କବାଦୀଙ୍କ ବିଭିନ୍ନ ବଙ୍କର ଧ୍ୱଂସ ହୋଇଥିଲା  । କିନ୍ତୁ ଏହାକୁ ବିରୋଧୀ ଦଳମାନେ ଫର୍ଜିକାଲ ଷ୍ଟ୍ରାଇକ ବୋଲି କହିଥିଲେ । ଏପରି କି ଦେଶର ଅନେକ ନେତା ଏବଂ ବୁଦ୍ଧିଜୀବୀମାନେ ଏହାର ପ୍ରମାଣ ମାଗିଥିଲେ । ସୋସିଆଲ ମିଡିଆରେ ମଧ୍ୟ କୌଣସି ସର୍ଜିକାଲ ଷ୍ଟ୍ରାଇକ ହୋଇ ନଥିବା ଅନେକ ବାକ୍ତି ଦାବି କରିବା ସହ ପ୍ରମାଣ ମାଗିଥିଲେ ।

ସର୍ଜିକାଲ ଷ୍ଟ୍ରାଇକର ପରଦିନ ସେନାର ପ୍ରାକ୍ତନ ମିଲିଟାରୀ ଅପରେସନ ଅଧ୍ୟକ୍ଷ ରଣବୀର ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଥିଲେ । ପରେ ପାକିସ୍ତାନ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା । କିନ୍ତୁ ବର୍ତମାନ ଏହି ଘଟଣାର ୨୧ ମାସ ପରେ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଲଂଚ୍ ପ୍ୟାଡ୍ ଧ୍ୱଂସ ହେଉଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ କି, ସେପ୍ଟେମ୍ବର ୧୮ ଉରିରେ ହୋଇଥିବା ଆକ୍ରମଣରେ ୨୦ଜଣ ଯବାନ ସହିଦ ହୋଇଥିଲେ । ଏହା ପରେ ଆତଙ୍କବାଦୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା  । ଷ୍ଟ୍ରାଇକ୍ ପରେ ଭାରତୀୟ ଜନତା ପାର୍ଟିର ନେତାମାନେ ଦେଶସାରା ଖୁସି ମନାଇବା ସହ ପୋଷ୍ଟର ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରାକ୍ତନ ରକ୍ଷାମନ୍ତ୍ରୀ ମନୋହର ପାରିକରଙ୍କୁ ଅଭିନନ୍ଦନ ଜଣାଇଥିଲେ ।