ଓଡ଼ିଶା ଗସ୍ତରେ ଥିବା ତାଇୱାନ୍ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି । ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ପ୍ରତିନିଧି ଦଳ ପ୍ରସ୍ତାବ ଦେଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ।
ତାଇୱାନ୍ର ସିପିସି କର୍ପୋରେସନର ଅଧିକାରୀଙ୍କ ସମେତ ୧୪ ଜଣିଆ ପ୍ରତିନିଧି ଦଳ ଗତକାଲି ପାରାଦ୍ୱୀପ ତୈଳ ବିଶୋଧନାଗାର ଗସ୍ତ କରିବା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । କର୍ପୋରେସନ୍ ଏଥିପାଇଁ ୪୩ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବ । ପାରାଦ୍ୱୀପ ତୈଳ ବିଶୋଧନାଗାରରେ ନାଫ୍ଥା ଟ୍ରାକର ୟୁନିଟ୍ କରିବା ପାଇଁ ସିପିସି କର୍ପୋରେସନ୍ ଆଗ୍ରହ ପ୍ରକାଶ କରିଛନ୍ତି ।
ଏ ନେଇ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ଏଥିପାଇଁ ରାଜ୍ୟସରକାର ଆବଶ୍ୟକ ଭିତ୍ତିଭୂମି ସହିତ ଜଳ ଓ ବିଦ୍ୟୁତ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶାସନ ସଚିବ ଶ୍ରୀ ପାଢ଼ୀ କହିଛନ୍ତି । ତେବେ ଏଥିପାଇଁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) କଞ୍ଚାମାଲ ଯୋଗାଇ ଦେବ । ନାଫ୍ଥା ଟ୍ରାକର ୟୁନିଟ୍ ପ୍ରତିଷ୍ଠା ହେବା ଦ୍ୱାରା ଓଡ଼ିଶାରେ ବ୍ୟାପକ ନିଯୁକ୍ତ ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟ ଶାସନ ସଚିବ ଆଶାବ୍ୟକ୍ତ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଭାରତରେ ପେଟ୍ରୋକେମିକାଲ ଇଣ୍ଡଷ୍ଟ୍ରିରେ ନିବେଶ କରିବା ପାଇଁ ତାଇୱାନ କମ୍ପାନୀର ଯୋଜନା ରହିଛି । ସେଥିପାଇଁ ତାଇୱାନ୍ ଓଡ଼ିଶାକୁ ଚୟନ କରିଛି । ଏହି ପରିପ୍ରେକ୍ଷୀରେ ଅନୁଧ୍ୟାନ ପାଇଁ ଗତକାଲି ତାଇବାନର ୨୦ ଜଣିଆ ପ୍ରତିନିଧି ଦଳ ପାରାଦ୍ୱୀପ ଗସ୍ତ କରିଥିଲେ ।