ଭୁବନେଶ୍ୱର : ଓ୍ଵାଲର୍ଡ ରାଙ୍କିଙ୍ଗ ଓପନ୍ ଜୁ ଜୁଟସୁ ପ୍ରତିଯୋଗିତାରେ ଓଡ଼ିଶା ଝିଅ ଅନୁପମା ସ୍ୱାଇଁଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି। ପ୍ରତିଯୋଗିତାର ମହିଳା ୪୯ କିଲୋ ବର୍ଗରେ ରବିବାର ଅନୁପମା ଏହା ହାସଲ କରିଛନ୍ତି।
ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ ଠାରେ ଆୟୋଜିତ ଓ୍ଵାଲର୍ଡ ରାଙ୍କିଙ୍ଗ ଓପନ୍ ଜୁ ଜୁଟସୁ ପ୍ରତିଯୋଗିତାରେ ଓଡ଼ିଶା ଝିଅ ଅନୁପମା ସ୍ୱାଇଁଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି। ପ୍ରତିଯୋଗିତାର ମହିଳା ୪୯ କିଲୋ ବର୍ଗରେ ରବିବାର ଅନୁପମା ଏହା ହାସଲ କରିଛନ୍ତି। ସେ ଶନିବାର ଫାଇଟିଙ୍ଗ ସିଷ୍ଟମ ଇଭେଣ୍ଟରେ କାଂସ୍ୟ ପଦକ ହାସଲ କରିଥିଲେ।
ଓଡ଼ିଶା ପୋଲିସରେ କାର୍ୟ୍ୟରତ ଅନୁପମା ଗତ ଥର ଜାତୀୟ ପ୍ରତିଯୋଗିତାରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ରବିବାର ପ୍ରତିଯୋଗିତାର ଫାଇନାଲରେ ଥାଇଲାଣ୍ଡର ପ୍ରତିଯୋଗୀଙ୍କୁ ନକ୍ଆଉଟ୍ କରି ପଦକ ବିଜୟ ଲାଭ କରିଛନ୍ତି।
ପ୍ରକାଶଯୋଗ୍ୟ ଗତ ବର୍ଷ ଡିସେମ୍ବରରେ ଅନୁପମା ଶକ୍ତି ଉତ୍ତୋଳନରେ ସିନିୟର ବିଭାଗରେ ଏସିୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ଅନୁପମାଙ୍କ ସହ ଓଡ଼ିଶାର ପ୍ରିୟଦର୍ଶିନୀ ଘଟୁଆରୀ ଭାରତୀୟ ଦଳରେ ସ୍ଥାନ ପାଇ ପ୍ରତିଯୋଗିତାରେ ଭାଗ ନେଇଥିଲେ ମଧ୍ୟ ପଦକ ପାଇବାରୁ ବଞ୍ଚିତ ହୋଇଛନ୍ତି। ଭାରତୀୟ ଜୁ ଜୁଟସୁ ସଂଘର ସଭାପତି ସୁରେଶ ଗୋପି ଅନୁପମାଙ୍କ ଦକ୍ଷତାରେ ଭୁୟସୀ ପ୍ରଶଂସା କରିଛନ୍ତି। ଓଡ଼ିଶା ରାଜ୍ୟ ଜୁ ଜୁଟସୁ ସଂଘ, ଉତ୍କଳ କରାଟେ ସ୍କୁଲ ଓ ଡାନିଏଲ ଜେମସ୍ ଅନୁପମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନୁପମା ଓ ପ୍ରିୟଦର୍ଶିନୀ ସୋମବାର ଭୁବନେଶ୍ୱରରେ ପହଞ୍ଚିବେ।