ଦୁଇ ଦିନିଆ ମୁମ୍ବାଇ ଗସ୍ତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇର ବିମାନବନ୍ଦର ଠାରେ ପହଞ୍ଚିଛନ୍ତି। ସେଠାରୁ ସେ କୋଲାବା ତାଜମହଲ ହୋଟେଲ ଅଭିମୁଖେ ଯାଇଛନ୍ତି । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପୁଞ୍ଜିନିବେଶକାରୀ ସଂସ୍ଥାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
ଆସନ୍ତା ନଭେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ଓଡିଶାରେ ‘ମେକ୍ ଇନ୍ ଓଡିଶା’ କନକ୍ଲେଭ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିବା ବେଳେ ରାଜ୍ୟ ସରକାର ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆସନ୍ତାକାଲି ସେଠାରେ ମୁଖ୍ୟମନ୍ତ୍ରୀ ରୋଡ ସୋ ଓ ଆଗଧାଡିର ପୁଞ୍ଜିପତିଙ୍କ ସହ ନବୀନ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ହେବାକୁ ଥିବା ରୋଡ ସୋରେ ମୁମ୍ବାଇର ବହୁ ବଡ଼ ବଡ଼ ଉଦ୍ୟୋଗପତି ସାମିଲ ହେବା ନେଇ ଜଣାପଡ଼ିଛି।
ଓଡିଶାରେ ପୁଞ୍ଜିନିବେଶ କରିବା ନେଇ ପୁଞ୍ଜିପତିଙ୍କ ସହ ଆଲୋଚନା କରିବା ସହ ଆବଶ୍ୟକ ପଦକ୍ଷେପ ନେବେ ନବୀନ । ମେକ୍ ଇନ୍ ଓଡିଶା ପାଇଁ ଅଧିକ ପୁଞ୍ଜିର ଆବଶ୍ୟକତା ରହିଥିବାବେଳେ ପୁଞ୍ଜିପତିଙ୍କୁ ନିବେଶ ପାଇଁ ଆକୃଷ୍ଟ କରିବାକୁ ନବୀନ ଆଲୋଚନା କରିବେ । ଏହି ପ୍ରସଙ୍ଗକୁ ନେଇ ପୂର୍ବରୁ ୪ ତାରିଖରେ ସଚିବାଳୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତାକାଲି ରାତି ସାଢ଼େ ୭ଟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।