ପେଟ୍ରୋଲ, ଡିଜେଲ ଦର ବୃଦ୍ଧିର ପ୍ରତିବାଦରେ ଆସନ୍ତାକାଲି ଭାରତ ବନ୍ଦ

0
460
niranjan patnaik
niranjan patnaik
ଭୁବନେଶ୍ୱର : ପେଟ୍ରୋଲ, ଡିଜେଲ ଦର ବୃଦ୍ଧିର ପ୍ରତିବାଦରେ ଆସନ୍ତାକାଲି କଂଗ୍ରେସ ଦଳ ପକ୍ଷରୁ ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦିଆଯାଇଛି । ଏଥିରେ ବହୁ ରାଜନୈତିକ ଦଳ ସାମିଲ ହେବେ ବୋଲି ପିସିସି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ରବିବାର ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଲେ ଯେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଦେଶରେ ପେଟ୍ରୋଲ , ଡିଜେଲ ଉପରେ ଟିକସ ଲଗାଇ ୫୨ ମାସ ମଧ୍ୟରେ ୧୧ ଲକ୍ଷ କୋଟି ଟଙ୍କା ଲୋକଙ୍କ ଠାରୁ ଲୁଟ୍ କରିନେଇଛନ୍ତି । କେବଳ ସେତିକି ନୁହେଁ ମଧ୍ୟମ ଓ ସାଧାରଣ ବର୍ଗର ଲୋକ ,ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀ ଏହାର ମାତ୍ରାଧିକ ବୋଝ ବହନ କରିଛନ୍ତି । ୨୦୧୪ -୧୬ରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୦୭.୯ ଡଲାର ରହିଥିବା ବେଳେ ବର୍ତମାନ ଏହା ୭୩ ଡଲାର ରହିଛି । ଯାହା ୟୁପିଏ ସରକାର ସମୟରେ ଥିବା ମୂଲ୍ୟର ୪୦ ପ୍ରତିଶତ । ସେତେବେଳେ ପେଟ୍ରୋଲ ଦର ୭୧.୪୧ ଟଙ୍କା ଓ ଡିଜେଲ ଦର ୫୫.୪୯ଟଙ୍କ ଥିଲା । ଏବେ ପେଟ୍ରୋଲ ଦର ୭୯.୫୧ରେ ପହଂଚିଥିବା ବେଳେ ଡିଜେଲ ଦର ୭୧.୫୫ଟଙ୍କା ରହିଛି ।

ସେହିପରି ୨୦୧୪ ମେ ମାସ ଠାରୁ ପେଟ୍ରୋଲ ଉପରେ ଉତ୍ପାଦନ ଶୁଳ୍କ ୨୧୧.୭ ପ୍ରତିଶତ ବୃଦ୍ଧି କରାଯାଇଛି । ସେହି ସମୟରେ ସେତେବେଳେ ପେଟ୍ରୋଲ ଲିଟର ପିଛା ଶୁଳ୍କ ୯ଟଙ୍କା ୨ ପଇସା ଥିବା ବେଳେ ବର୍ତମାନ ୧୯ଟଙ୍କା ୪୮ ପଇସା ଆଦାୟ କରାଯାଇଛି । ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ୪୪୩.୦୬ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୪ ୩ ଟଙ୍କା ୪୬ ପଇସା ଥିବା ବେଳେ ବର୍ତମାନ ଡିଜେଲ ଉପରୁ ୧୫ ଟଙ୍କା ୩୩ ପଇସା ଆଦାୟ କରାଯାଉଛି । ବିଜେପି ସରକାର ଆସିବା ପରେ ଉତ୍ପାଦନ ଶୁଳ୍କ ୧୨ ଥର ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ଇନ୍ଧନ ଗ୍ୟାସ୍ ସିଲିଣ୍ଡର ଅଣ ସବସିଡି ୪୧୪ ଟଙ୍କା ଥିବା ବେଳେ ୨୦୧୮ରେ ଏହା ୭୫୪କୁ ବୃଦ୍ଧି ପାଇଛି । ସିଲିଣ୍ଡର ପିଛା ୩୪୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ସବସିଡି ସିଲିଣ୍ଡର ମୂଲ୍ୟ ୪୧୨ରୁ ୪୯୬ ଟଙ୍କାକୁ ବୃଦ୍ଧି ପାଇଛି । ତେଣୁ ଲୋକଙ୍କୁ ଏଥିରୁ ମୁକ୍ତି ଦେବାକୁ ହେଲେ ପେଟ୍ରୋଲ , ଡିଜେଲ ଓ ଗ୍ୟାସକୁ ଜିଏସଟି ଅନ୍ତଭୁୁକ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି ।

ଅପରପକ୍ଷରେ ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ ଡିଜେଲ ଉପରୁ ଟିକସ ଛାଡ୍ କରୁନାହାନ୍ତି । ରାଜ୍ୟ ସରକାର ୨୦୧୪ ରେ ୨୮୬୪ କୋଟି ଟଙ୍କାର ଟିକସ ହାସଲ କରିଥିବା ବେଳେ ୨୦୧୮ ରେ ୬୯୦୦ କୋଟି ଟଙ୍କା ପାଇଛନ୍ତି । ଯାହା ୧୪୪ ପ୍ରତିଶତ ବୃଦ୍ଧି ପାଇଛି । ପେଟ୍ରୋଲ ବ୍ୟବହାର ୪୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ସରକାର ୧୨ ହଜାର କୋଟି ଟଙ୍କାର ଶୁଳ୍କ ସଂଗ୍ରହ କରିଛନ୍ତି । ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ହ୍ରାସ କଲେ ପେଟ୍ରୋଲ ଡିଜେଲ ଦର ହ୍ରାସ ପାଇବ ବୋଲି ସେ କହିଥିଲେ ।