କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଦିବ୍ୟାଙ୍ଗ ପୋଡି ଘଟଣାରେ ଶନିବାର ବାଲିଗୁଡା ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗତକାଲି ଭଗାମୁଣ୍ଡା ସ୍ଥିତ ମହାମାୟୀ ମନ୍ଦିରରୁ ମୂମୂର୍ଷୁ ଅବସ୍ଥାରେ ଭବାନୀ ଶଙ୍କର ନନ୍ଦ ନାମକ ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଦିବ୍ୟାଙ୍ଗ ଦୋଷ କାଟିବାକୁ ମାନସିକ କରି ପରିବାର ଲୋକେ ଗତ ଶନିବାର ଠାରୁ ମନ୍ଦିରରେ ରଖି ଏକ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରୁଥିଲେ।
ସେହି ଶନିବାର ଦିନ ଭବାନୀଙ୍କୁ ନିଆଁ ଉପରେ ମୁଣ୍ଡ ତଳକୁ ଝୁଲାଇ ରଖାଯାଇ ଝୁଣା ଝାସ ଦିଆଯାଉଥିଲା। ମାତ୍ର ତିନି ଚାରି ଥର ଝାସ ଦେଲା ପରେ ତାଙ୍କର ଅର୍ଦ୍ଧେକ ଶରୀର ପୋଡି ଯାଇଥିଲା ଓ ସେ ଗୁରୁତର ହୋଇପଡ଼ିଥିଲେ। କିନ୍ତୁ ତାଙ୍କୁ ମେଡିକାଲକୁ ନିଆ ନଯାଇ ମନ୍ଦିରର ପୂଜକଙ୍କ ଅନୁମତିରେ ଦେଶୀ ଚିକିତ୍ସା ଜାରି ରହିଥିଲା।
ତେବେ ପୁଅ ଭବାନୀର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ମାଆ ଜିଦ୍ ଧରିବା ପରେ ଗତକାଲି ଭବନୀଙ୍କୁ ମେଡିକାଲ ନିଆଯାଇଥିଲା। ପରେ ଏହି ଘଟଣା ଲୋକଲୋଚନକୁ ଆସିବା ସହ ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।