ମାଲକାନଗିରି ସୀମା ଛତିଶଗଡ଼ କାଙ୍କେର ଜିଲ୍ଲାରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ମାଓବାଦୀଙ୍କ ଗୁଳିରେ ୨ ବିଏସଏଫ ଯବାନ ଶହୀଦ ହୋଇଥିବାବେଳେ ଜଣେ ଯବାନ ଗୁରୁତର ହୋଇଛନ୍ତି। ତାଙ୍କୁ ହେଲିକ୍ୟାପ୍ଟର ଯୋଗେ ରାୟପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।
୧୧୪ ବାଟାଲିୟନର ଯବାନ ମାନେ ମାଓବାଦୀ ଦମନ ପାଇଁ ସର୍ଚ୍ଚ ଅପରେସନ କରି ଫେରୁଥିବା ବେଳେ ପାର୍ଥପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ମହାଲ ଜଙ୍ଗଲ ନିକଟସ୍ଥ କ୍ୟାମ୍ପରେ ମାଓବାଦୀମାନେ ତାଙ୍କୁ ଅତର୍କିତ ଗୁଳି କରିଥିଲେ ବୋଲି ଆଣ୍ଟି ନକ୍ସଲ ଅପରେସନର ଡିଆଇଜି ସୁନ୍ଦରରାଜ ପି ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଯେତେବେଳେ ଟିମ୍ ପାଟ୍ରୋଲିଂ କରି ଛତିଶଗଡର ରାଜଧାନୀ ରାୟପୁର ଠାରୁ ୨୫୦ କିଲୋମିଟର ଦୂର ବାରକୋଟ ଗ୍ରାମରେ ପ୍ରବେଶ କରିଥିଲେ । ଏହି ସମୟରେ ମାଓବାଦୀଙ୍କ ଏକ ଟିମ୍ ତାଙ୍କ ଉପରକୁ ଗୁଳି ବର୍ଷଣ କରିଥିଲେ। ଫଳର ଦୁଇ ପଟୁ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।
ଦୁଇ କନଷ୍ଟେବଳ ରାଜସ୍ଥାନର ଲୋକେନନ୍ଦର ସିଂହ ଏବଂ ପଞ୍ଜାବ ମୁକଧିୟାର ସିଂହ ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ବେଳେ ସ୍ନେଦିପ ଦେ ନାମକ ଅନ୍ୟ ଜଣେ କନଷ୍ଟେବଳ ଗୁରୁତର ଭାବେ ଆହତ ହୋଇଛନ୍ତି । ଏବେ ବି ସେଠାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ସୂଚନା ମିଳିଛି।