ଆସନ୍ତା ଅକ୍ଟୋବର ୨ତାରିଖରୁ ଗାନ୍ଧୀଜୀଙ୍କ ୧୫୦ ତମ ଜୟନ୍ତୀକୁ ସାରା ରାଜ୍ୟରେ ୨ ବର୍ଷ ଧରି ପାଳନ କରାଯିବ । ସ୍କୁଲ, କଲେଜ ସହ ବିଭିନ୍ନ କାର୍ଯ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳନ ହେବ । ଏଥିପାଇଁ ସଂସ୍କୃତି ବିଭାଗ ପକ୍ଷରୁ ୫ଟି ଉପକମିଟି ଗଠିତ ହୋଇଛି । ଗାନ୍ଧୀ ଜୟନ୍ତୀଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପଦଯାତ୍ରା ହେବା ସହ ପ୍ରତି ବ୍ଲକରେ କସ୍ତୁରବା ଗାନ୍ଧୀ ଆଦର୍ଶ ବିଦ୍ୟାଳୟକୁ ଚିହ୍ନଟ କରାଯିବାର ସ୍ଥିର ହୋଇଥିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।
ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗାନ୍ଧୀଜୀ ସ୍ୱାଧୀନତା ଆନ୍ଦୋଳନ ସମୟରେ ଓଡ଼ିଶାକୁ ଆଠଥର ଆସିଛନ୍ତି । ସବୁ ବର୍ଗର ବ୍ୟକ୍ତିଙ୍କ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେଉଥିଲେ । ତେଣୁ ସାମାଜିକ ନ୍ୟାୟ ଓ ଦାରିଦ୍ର୍ୟ ବିରୋଧରେ ଆମକୁ ଲଢ଼ିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ମହାତ୍ମା ଗାନ୍ଧୀ ଯୁଗ ପୁରୁଷ ଥିଲେ । ଭାରତର ଆତ୍ମାର ପୁନଃ ଜାଗରଣ ପାଇଁ ସେ ଉଦ୍ୟମ କରିଥିଲଷ । ସମାଜରେ ମୌଳିକ ମୂଲ୍ୟବୋଧର ବିକାଶ ଥିଲା ତାଙ୍କର ପ୍ରକୃତ ଲକ୍ଷ୍ୟ । ସେଥିପାଇଁ ସେ ସତ୍ୟ ଓ ଅହିଂସା ଉପରେ ଗୁରୁତ୍ୱ ଦେଉଥିଲେ । ଆଜିର ସମାଜରେ ତାଙ୍କର ଦୁଇଟି ମନ୍ତ୍ରୀର ଗୁରୁତ୍ୱ ବଢ଼ିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧୀ କଂଗ୍ରେସ ସ୍ୱାଗତ କରିଛି । ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ପାଇଁ ଏହା ପ୍ରଥମ କମିଟି ବୈଠକ । ଏହି ସର୍ବଦଳୀୟ ବୈଠକ ପାଇଁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ଏକ ଉତ୍ତମ ପ୍ରସ୍ତାବ ବୋଲି ସେ କହିଛନ୍ତି । ଏହା ସହିତ ବାର୍ଦ୍ଧକ୍ୟ ଭତ୍ତା ହଜାର ଟଙ୍କା କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ବୈଠକରେ ଅନୁରୋଧ କରିଛନ୍ତି ।