ୟୁପିଏସ୍‌ସି କରିବ ଡିଜିପି ନିଯୁକ୍ତି

0
346
upsc will appoint dgp
ନୂଆଦିଲ୍ଲୀ : ଏଣିକି ୟୁପିଏସ୍‌ସି  ସମସ୍ତ ରାଜ୍ୟରେ ପୂର୍ଣ୍ଣକାଳୀନ ଡିଜିପିଙ୍କୁ ନିଯୁକ୍ତ କରିବ । କାର୍ଯ୍ୟରତ ଥିବା ଡିଜିପି ଅବସର ନେବା ପୂର୍ବରୁ ନୂତନ ଡିଜିପିଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର, ଜଷ୍ଟିସ୍ ଏ.ଏମ୍‌. ଖାନୱିଲକର ଏବଂ ଜଷ୍ଟିସ୍ ଡି. ଓ୍ୱାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।
ଏଣିକି କୌଣସି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ କାର୍ଯ୍ୟକାରୀ ଆରକ୍ଷୀ ମହାନିର୍ଦ୍ଦେଶକଙ୍କୁ ନିଯୁକ୍ତି କରିପାରିବେ ନାହିଁ । ବରିଷ୍ଠ ପୋଲିସ ଅଧିକାରୀ ନିଯୁକ୍ତିରେ ରାଜ୍ୟ କରୁଥିବା ମନମୁଖୀ କାର୍ଯ୍ୟ ଉପରେ ରୋକ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହି ନିଯୁକ୍ତି ପ୍ରକ୍ରିୟାକୁ ୟୁନିୟନ ପବ୍ଲିକ ସର୍ଭସ୍‌ କମିଶନ ବା ୟୁପିଏସ୍‌ସିକୁ ହସ୍ତାନ୍ତର କରିଛନ୍ତି କୋର୍ଟ । ବରିଷ୍ଠତା ଦୃଷ୍ଟିରୁ ରାଜ୍ୟରେ କାର୍ଯ୍ୟରତ ଥିବା ତିନି ଜଣ ପୋଲିସ ଅଧିକାରୀଙ୍କ ନାମ ରାଜ୍ୟ ୟୁପିଏସ୍‌ସିକୁ ପ୍ରଦାନ କରିବ । ରାଜ୍ୟର ସୁପାରିଶ କ୍ରମେ ୟୁପିଏସ୍‌ସି ଏ ତିନି ଜଣଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରି ଆରକ୍ଷୀ ମହାନିର୍ଦ୍ଦେଶକ ପଦବୀରେ ନିଯୁକ୍ତ କରିବ । ଜଣେ ଯାଚିକାଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲାର ଏକ ଲମ୍ବା ବ୍ୟବଧାନ ଧରି ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି ।

୨୦୦୬ରେ ସିଆର୍‌ପିଏଫ୍‌ ଅଧିକାରୀ ପ୍ରକାଶ ସିଂହ ଡିଜିପି ନିଯୁକ୍ତିକୁ ନେଇ ଦୁଇଟି ସଂସ୍କାର ଆଣିବାକୁ ଆବେଦନ କରିଥିଲେ  । ଡିଜିପିଙ୍କୁ ନିଯୁକ୍ତି ଓ ଅବସରରେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ୧୦ ବର୍ଷ ରଖିବା ଓ ସଠିକ୍‌ ଢଙ୍ଗରେ ଡିଜିପି ନିଯୁକ୍ତି ପ୍ରକ୍ରିୟା କରିବାକୁ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।