ଓଡିଶାରେ ବର୍ଷକୁ ହେପାଟାଇଟିସରେ ପିଡ଼ିତ ହେଉଛନ୍ତି ୫୦୦୦ ଲୋକ : ଜନଜାତି ଅଧିକ

0
394
hepatitis
hepatitis

ଭୁବନେଶ୍ୱର : ରାଜ୍ୟରେ ହାରାହାରି ୫୦୦୦ ଲୋକ ପ୍ରତିବର୍ଷ ହେପାଟାଇଟିସ୍ରେ ପିଡ଼ିତ ହେଉଛନ୍ତି । ତନ୍ମଧ୍ୟରୁ କେତେକ ନିର୍ଦ୍ଦିଷ୍ଟ ଜନଜାତିଙ୍କଠାରେ ହେପାଟାଇଟିଟସ୍ ‘ବି’ ର ମାତ୍ରା ଅଧିକ ବୋଲି ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।
ପ୍ରତ୍ୟେକ ବର୍ଷ ଜୁଲାଇ ୨୮ ତାରିଖ ଦିନ ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଏ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସମଗ୍ର ବିଶ୍ୱରେ ଭୂତାଣୁ ଜନିତ ହେପାଟାଇଟିସ୍ ଏବଂ ଏହାର ଭୟାବହତା ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବା । ଚଳିତ ବର୍ଷର ବାର୍ତା ହେଉଛି “ହେପାଟାଇଟିସ୍ର ସମ୍ପୂର୍ଣ୍ଣ ଦୂରୀକରଣ’ । ହେପାଟାଇଟିସ୍ ସାଧାରଣତଃ ୫ ପ୍ରକାର ଭୂତାଣୁ ଯୋଗୁଁ ହୋଇଥାଏ । ତନ୍ମଧ୍ୟରୁ ହେପାଟାଇଟିସ୍ ‘ବି’ ଏବଂ ‘ସି’ ରକ୍ତ ବା ରକ୍ତ ସଂକ୍ରମଣରୁ ହୋଇଥିବା ବେଳେ ହେପାଟାଇଟିସ୍ ‘ଏ’ ଏବଂ ‘ଇ’ ଦୂଷିତ ଖାଦ୍ୟ ପଦାର୍ଥ ଏବଂ ଦୂଷିତ ପାନୀୟ ଜଳ ସଂକ୍ରମଣରୁ ହୋଇଥାଏ ଏବଂ ସମୟ ସମୟେ ଏହା ମାହାମାରୀର ରୂପ ଧାରଣ କରିଥାଏ । କନ୍ତୁ ହେପାଟାଇଟିସ୍ ‘ଡ଼ି’ ର ନିଜସ୍ୱ ସଂକ୍ରମଣ କ୍ଷମତା ନଥାଏ ।

ବିଶ୍ୱରେ ହେଉଥିବା ଯକୃତ କର୍କଟ ରୋଗର ଏକ ପ୍ରମୁଖ କାରଣ ହେଲା ହେପାଟାଇଟିସ୍ ‘ବି’ ଏବଂ ହେପାଟାଇଟିସ୍ ‘ସି’ କିନ୍ତୁ ହେପାଟାଇଟିସ୍ରେ ସଂକ୍ରମିତ ବ୍ୟକ୍ତିମାନଙ୍କ ମଧ୍ୟରୁ ୮୦ପ୍ରତିଶତରୁ ଅଧିକ ଲୋକ ଏହା ଜାଣି ନଥାନ୍ତି । ୨୦୩୦ ମସିହା ସୁଧା ହେପାଟାଇଟିସ୍ର ସଂମ୍ପୂର୍ଣ୍ଣ ଦୂରୀକରଣ ଲକ୍ଷ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରଖିଛି । ସମଗ୍ର ବିଶ୍ୱର ପ୍ରାୟ ୫୦୦ ନିୟୁତ ଲୋକ ହେପାଟାଇଟିସ୍ରେ ସଂକ୍ରମିତ । ଅଧିକାଂଶ ସଂକ୍ରମିତ ବ୍ୟକ୍ତି ଏ ବିଷୟରେ ଜାଣି ନଥାନ୍ତି । ତେଣୁ ସଂକ୍ରମିତ ବ୍ୟକ୍ତିମାନଙ୍କୁ ଖୋଜି ବାହାର କରିବା ସେମାନଙ୍କୁ ସଚେତନ କରାଇବା, ସମାଜ ଏବଂ ପରିବାର ବର୍ଗଙ୍କ ଟିକାକରଣ, ତଥା ସେମାନଙ୍କ ଚିକିତ୍ସା ଆଦିର ଲକ୍ଷ୍ୟ ନେଇ ଯେଉଁ ଅଭିଯାନ ଆରମ୍ଭ କରାଯାଇଛି ତାର ନାମ ହେଲା ଫାଇଣ୍ଡିଙ୍ଗ୍ ଦି ମିସିଙ୍ଗ୍ ମିଲିୟନସ୍ ତିନି ବର୍ଷ ଧରି ଏହି ଅଭିଯାନ ଜାରି ରହିବ । ଯାହା ହେପାଟାଇଟିସ୍ର ସଂକ୍ରମଣକୁ ରୋକିବାରେ ସହାୟକ ହେବ ।

ଆଦିବାସୀ ଅଧ୍ୟୁଷିତ ଅଂଚଳର ଲୋକମାନଙ୍କ ଠାରେ ହେପାଟାଇଟିସ ରୋଗ ନିରୂପଣ କରିବା କଷ୍ଟସାଧ୍ୟ ହେଉଛି । ତେଣୁ ସଚେତନତା ମାଧ୍ୟମରେ ହେପାଟାଇଟିସ୍ର ନିରୂପଣ, ନିରାକରଣ ଏବଂ ପ୍ରତିଷେଧକ ଟିକା ଏବଂ ଚିକିତ୍ସା କରି ହେପାଟାଇଟିସ୍କୁ ବିଶ୍ୱରୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା “ବିଶ୍ୱ ହେପାଟାଇଟିସ୍ ଦିବସ” ପାଳନର ଉଦ୍ଦେଶ୍ୟ ବୋଲି ଡାକ୍ତର ସେଠୀ କହିଛନ୍ତି ।